କନକ ବ୍ୟୁରୋ : ଅନ୍ନପୂର୍ଣ୍ଣାଙ୍କ ପରେ ବଲାଙ୍ଗିରର ଜ୍ୟୋତିର୍ମୟୀ ଦ୍ୱିତୀୟ ରୋଗୀ ଭାବେ କଟକ ଏସସିବିର ଇକମୋ ୟୁନିଟରେ ମାଗଣା ଚିକିତ୍ସା ପାଇଛନ୍ତି । ୭୫ ଦିନ ଧରି କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ଜ୍ୟୋତିର୍ମୟୀ । ଗତ ୧୬ ଦିନ ଧରି ଆଇସିୟୁରେ ରହିବା ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏସସିବିରେ ଡ଼ାକ୍ତରି ବିଭାଗର ପରାର୍ମଶରେ ଇକମୋ ୟୁନିଟରେ ଭର୍ତ୍ତି କରାଯାଇଛି । ଲଗାତର ୫୯ ଦିନ ଧରି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ କଟକ ସଦଗୁରୁ ହସ୍ପିଟାଲକୁ ଅଣାଯାଇଥିଲା । ଏଠାରେ ସେ ୧୬ ଦିନ ଆଇସିୟୁରେ ରହିବା ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

Advertisment

ସୂଚନା ଅନୁସାରେ, ଏସ୍‌ସିବିର ୫ ଜଣିଆ ବିଶେଷଜ୍ଞ ଦଳ ଜ୍ୟୋତିର୍ମୟୀଙ୍କ ଇକମୋ ୟୁନିଟ୍‌ରେ ଚିକିତ୍ସା କରୁଛନ୍ତି । ଇକମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିବା ପ୍ରଥମ ରୋଗୀଙ୍କୁ କୋଲକାତାରୁ ଆସିଥିବା ବିଶେଷଜ୍ଞଙ୍କ ସହାୟତାରେ ଚିକିତ୍ସା କରିଥିଲେ । କୋଲକାତା ବିଶେଷଜ୍ଞ ଫେରିଯିବା ପରେ ଏସ୍‌ସିବିର ବିଶେଷଜ୍ଞମାନେ ହିଁ ଚିକିତ୍ସା ଦାୟିତ୍ବ ନେଇଛନ୍ତି । ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଦକ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇକମୋ ୟୁନିଟ୍‌କୁ ଉଦ୍‌ଘାଟନ କରିବାର ଠିକ ପରଦିନ ଠାରୁ ହିଁ ଏହି ଅତ୍ୟାଧୁନିକ ଚିକିତ୍ସା ସେବା ଆରମ୍ଭ ହୋଇଛି । ଏସ୍‌ସିବିରେ ଥିବା ସମୁଦାୟ ୯ଟି ଏକ୍‌ମୋ ମେସିନ୍‌ ମଧ୍ୟରୁ ୩ଟି ମେସିନ୍‌ କୋଭିଡ୍‌ ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।