କାଲିଠାରୁ ସଂସଦରେ ଆରମ୍ଭ ହେବ ଦ୍ୱିତୀୟ ଭାଗ ବଜେଟ୍ ଅଧିବେଶନ । ଗଣମାଧ୍ୟମକୁ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସୂଚନା

76
କନକ ବ୍ୟୁରୋ : କାଲିଠାରୁ ସଂସଦରେ ଆରମ୍ଭ ହେବ ଦ୍ୱିତୀୟ ଭାଗ ବଜେଟ୍ ଅଧିବେଶନ । ସମସ୍ତ କୋଭିଡ୍‌-୧୯ କଟକଣା ସହ ସୋମବାର ଠାରୁ ସଂସଦରେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଗଣମାଧ୍ୟମକୁ କହିଛନ୍ତି । ବାଚସ୍ପିତି କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ । ଏପ୍ରିଲ୍‌ ୮ ତାରିଖ ଦିନ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ସଂସଦର ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଥିଲେ । ଦୁଇ ଭାଗ କରାଯାଇଥିବା ସଂସଦର ଏହି ବଜେଟ୍‌ ଅଧିବେଶନର ପ୍ରଥମ ଭାଗ ୯୯.୫% ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି । ୫୦ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍‌ ଅଧିବେଶନରେ ଲୋକସଭା ୪୯ ଘଣ୍ଟା ୧୭ ମିନିଟ୍‌ ଚାଲିଥିଲା ବୋଲି ସେ କହିଛନ୍ତି ।