ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ : ଆଜି ବସିବ ଦ୍ବିତୀୟ ବୈଠକ; ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ବିକଳ୍ପ ପ୍ରସ୍ତାବ

179

କନକ ବ୍ୟୁରୋ : ଯୁକ୍ତ୨ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ ଲାଗି ଗଠିତ ବିଶେଷଜ୍ଞ କମିଟିର ଦ୍ବିତୀୟ ବୈଠକ ଆଜି ଅନୁଷ୍ଠିତ ହେବ । ପ୍ରଥମ ବୈଠକ ପରେ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିଭିନ୍ନ ମହଲରୁ ମତାମତ ସଂଗ୍ରହ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍‌ଙ୍କ ତାଲିକା ପ୍ରସ୍ତୁତ କରାଯାଇ ମତାମତ ସଂଗ୍ରହ ହୋଇଛି। ଥିଓରି ମାର୍କିଂ ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ପର୍କରେ ବିଚାରବିମର୍ଶ କରାଯାଇଛି । ଡିଗ୍ରି ଓ ଜୁନିୟର କଲେଜ ଅଧ୍ୟାପକଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସରଙ୍କ ମତ ନିଆଯାଇଛି । ଯାହାକୁ ଆଧାର କରି ଶୁକ୍ରବାର ବୈଠକରେ ବ୍ୟାପକ ଆଲୋଚନା କରାଯିବ ।

ଅନ୍ୟପକ୍ଷରେ ଓଡ଼ିଶା ବେସରକାରୀ ରାଜ୍ୟ ଦରମାପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଏକ ୱେବିନାର୍‌ ମାଧ୍ୟମରେ ଶିକ୍ଷାବିତ୍‌, ଛାତ୍ରଛାତ୍ରୀଙ୍କଠାରୁ ମତାମତ ସଂଗ୍ରହ ହୋଇଛି। ସଂଘର ରାଜ୍ୟ ଆବାହକ କମଳ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଉଚ୍ଚଶିକ୍ଷା ନିର୍ଦେଶାଳୟର ପୂର୍ବତନ ନିର୍ଦେଶକ ପ୍ରଫେସର ସତ୍ୟକାମ ମିଶ୍ର ଭାଗ ନେଇ ମୂଲ୍ୟାୟନ ନୀତି ନିର୍ଦ୍ଧାରଣରେ ସୃଷ୍ଟି ହେବାକୁ ଥିବା ଦ୍ବନ୍ଦ୍ବ ଉପରେ ଆଲୋକପାତ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ବିକଳ୍ପ ପରୀକ୍ଷା ପଦ୍ଧତି ଅବଲମ୍ବନ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ।

ସେହିପରି ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ହୋଇଥିବା ଆଲୋଚନାଚକ୍ରରେ ବିକଳ୍ପ ମୂଲ୍ୟାୟନ ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଶିକ୍ଷକ ସଙ୍ଗଠନ, ଛାତ୍ର ସଙ୍ଗଠନ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ସହ ବିଚାରବିମର୍ଶ କରାଯାଉ। ମାଟ୍ରିକ୍‌ ପରୀକ୍ଷାର ବାଧ୍ୟତାମୂଳକ ବିଷୟର ମାର୍କ ସହ ଯୁକ୍ତ୨ ଇଚ୍ଛାଧୀନ ବିଷୟରେ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କ ଦକ୍ଷତା ବାର୍ଷିକ ମୂଲ୍ୟାୟନ ଲାଗି ବିଚାର ହୋଇଥିଲା। ଅତି ସାଧାରଣ ପରିସ୍ଥିତିରେ ଯଦି ପରୀକ୍ଷା କରାଯାଇପାରିବ ନାହିଁ, ତେବେ ମାଟ୍ରିକ୍‌ ପରୀକ୍ଷାକୁ ଆଧାର କରାଯାଇ ଉଚ୍ଚଶିକ୍ଷାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି।