କେବେ ସରିବ ବୌଦ୍ଧର ଦ୍ୱିତୀୟ ମହାନଦୀ ସେତୁ? ନିର୍ମାଣ ଅବଧି ସରିଲାଣି କିନ୍ତୁ ଶେଷ ହେଲାନି କାମ; ପ୍ରଶାସାନ କହିଲା, ଅଗଷ୍ଟ ୧୫ ସୁଦ୍ଧା ସରିବ ନିର୍ମାଣ

ବୌଦ୍ଧରୁ ଅନୁଗୁଳ ଆଠମଲ୍ଲିକ ଓ ଦକ୍ଷିଣ ଓଡିଶାକୁ ସୁଗମ ହେବ ଯୋଗାଯୋଗ

190

କନକ ବ୍ୟୁରୋ: ସବୁଠିକୁ ଯୋଗାଯୋଗ ସୁଗମ ହେବ । ଗାଁ ଗାଁକୁ ଯାତାୟତ ସୁଗମ ହେବ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପ୍ରଶାସନିକ ଅବହେଳା ହେଉ ଅବା ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଠିକଣା ସମୟରେ ସରୁନାହିଁ ପୋଲ ନିର୍ମାଣ କାମ । ତେଣୁ ପୋଲ ଉପର ଦେଇ ଭଲରେ ଯା’ଆସ କରିବା ସ୍ୱପ୍ନ ଦେଖୁଥିବା ବୌଦ୍ଧର ଲୋକଙ୍କ ମନରେ ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଛି । ସେପଟେ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ମହାନଦୀ ଉପରେ ପୋଲ ନିର୍ମାଣ କାମ ଶେଷ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ନିର୍ମାଣ ଚାଲିଛି ବୌଦ୍ଧ ମହାନଦୀ ଉପରେ ଦ୍ୱିତୀୟ ସେତୁ କାମ । ୨୦୧୬ ଡିସେମ୍ବରରୁ କାମ ଚାଲିଛି ଯେ ଚାଲିଛି, କେବେ ସରିବ ତାର ଠିକଣା ନାହିଁ । ବୌଦ୍ଧ ଧଳପୁରଠାରେ ମହାନଦୀ ଉପରେ ନିର୍ମାଣ ହେଉଥିବା ପୋଲ କାମ ୩ ବର୍ଷ ଭିତରେ ସାରିବା ପାଇଁ ନିର୍ଦେଶ ଥିଲା । ହେଲେ ଏଠି ୩ ବର୍ଷ ପୁରି ୪ ବର୍ଷ ଚାଲିଛି, ଏବେ ବି ପୋଲର ଅନେକ କାମ ବାକି ଅଛି । ୧୬୮ କୋଟି ୯୧ ଲକ୍ଷ ଟଙ୍କାର ପୋଲ କାମ ରଂଜିତ ବିଡ଼କନ ନାମକ ଠିକା ସଂସ୍ଥା କରୁଛି । ୩ହଜାର ୩୨ ମିଟର ଦୈର୍ଘ ବିଶିଷ୍ଟ ପୋଲ ବିକାଶର ଆଉ ଏକ ମାଧ୍ୟମ ହେବ ବୋଲି କୁହାଯାଉଥିବା ବେଳେ ସଂପୃକ୍ତ ଠିକା ସଂସ୍ଥା ପୂର୍ତ ବିଭାଗର ଅବହେଳା ଯୋଗୁଁ ନିର୍ମାଣ କାମ ଧିମେଇ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷର ନିଆଁ ଜଳିବା ଆରମ୍ଭ କରିଛି ।

ଧଳପୁର ମହାନଦୀ ପୋଲ ନିର୍ମାଣ ହେଲେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ ସହ ବୌଦ୍ଧ ଜିଲ୍ଲାର ସଂଯୋଗ ସହଜ ହେବ । ଏହାସହ ଦକ୍ଷିଣ ଓଡିଶା ସହ ଯୋଗାଯୋଗ ସ୍ଥାପନ ହୋଇପାରିବ । ଲୋକେ ବ୍ୟବସାୟିକ ସୁବିଧା ସହ ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉପକୃତ ହେବେ । ପୋଲ ନିର୍ମାଣକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ତାରିଖ ପୋଲ କାମ ସରିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ବୌଦ୍ଧ ଜିଲ୍ଲାରେ ପ୍ରଥମ ମହାନଦୀ ସେତୁ ଖୋର୍ଦ୍ଧା, ବଲାଙ୍ଗୀରକୁ ସଂଯୋଗ କରୁଥିବା ବେଳେ ଦ୍ୱିତୀୟ ସେତୁ ଦେଇ ରାଜ୍ୟ ସରକାରଙ୍କ ବିକାଶର ଗାଡି ଦ୍ରୁତଗତିରେ ଆଠମଲ୍ଲିକ ଠାରୁ ଦକ୍ଷୀଣ ଓଡିଶାକୁ ଗତି କରିବ ।