ଲଖିମପୁର ହିଂସା ମାମଲାରେ ୟୁପି SIT ଦେଲା ଦ୍ୱିତୀୟ FIR । ଦର୍ଶାଇଲା, ବିଜେପି କର୍ମୀଙ୍କ ଉପରେ ହୋଇଛି ଆକ୍ରମଣ, ହେଲେ ଚାଷୀଙ୍କ ମୃତ୍ୟୁ ନେଇ ନୀରବ ।

115

କନକ ବ୍ୟୁରୋ : ଲଖିମପୁର ହିଂସା ମାମଲାରେ ଦ୍ୱିତୀୟ ମାମଲା ରୁଜୁ କରିଛି ୟୁପି ପୁଲିସ । ତେବେ ଦ୍ୱିତୀୟ ଏତଲାରେ କେବଳ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାର ଉଲ୍ଲେଖ ଥିବାରୁ, ଯୋଗୀ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ୧୨ଘଣ୍ଟାର ମାରାଥନ ଜେରା ପରେ ଆଶିଷ ମିଶ୍ରାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଲଖିମପୁର ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରଙ୍କୁ ତ ଗିରଫ କଲା ୟୁପି ପୁଲିସ, କିନ୍ତୁ ସରକାର ଓ ପୁଲିସର ଆଭିମୁଖ୍ୟକୁ ନେଇ ବଡ ଧରଣର ପ୍ରଶ୍ନ ଉଠୁଛି । ଘଟଣାକୁ ନେଇ ଦ୍ୱିତୀୟ ଏଫଆଇଆର ରୁଜୁ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଏଫଆଇଆରରେ ପୁଲିସ କେବଳ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କଥା ଦର୍ଶାଇଛି । ଏଥିରେ ଆଦୌ ଚାଷୀଙ୍କ ଉପରେ ଗାଡି ଚଢାଇବା ଅଭିଯୋଗକୁ ଉଲ୍ଲେଖ କରାଯାଇନାହିଁ ।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜେରା କରିଥିଲା ୟୁପି ପୁଲିସ । କିନ୍ତୁ ଆଶିଷ ମିଶ୍ର ପୁଲିସର ସବୁ ପ୍ରଶ୍ନକୁ ବାଏଁ ବାଏଁ ଉଡାଇଦେଇଥିଲା । ବାରମ୍ବାର କହୁଥିଲା ସେ ଗାଡିରେ ନଥିଲା । ତା ଗାଡିରେ ମାରଣାସ୍ତ୍ର ଓ ଗୋଳାବାରୁଦ କୁଆଡୁ ଆସିଲା ବୋଲି ଯେତେବେଳେ ପ୍ରଶ୍ନ କରାଯାଇଥିଲା, ସେ କହିଥିଲା ନିଜ ସୁରକ୍ଷା ପାଇଁ ସେ ଗାଡିରେ ରଖିଥିଲା ।

ଆଶିଷ ମିଶ୍ରଙ୍କୁ ୧୨ ଘଂଟା ଧରି ପ୍ରଶ୍ନ ପଚାରିଥିଲା ପୁଲିସ । ଦେଖନ୍ତୁ ଏସଆଇଟି ଆଶିଷ ମିଶ୍ରଙ୍କୁ କ’ଣ ପ୍ରଶ୍ନ ପଚାରିଥିଲା?

ଏସଆଇଟିର ପ୍ରଶ୍ନ
ଯେଉଁ ଜିପକୁ ଜାଳି ଦିଆଯାଇଛି, ତାକୁ କିଏ ଚଲାଉଥିଲେ? ସେଥିରେ କିଏ କିଏ ବସିଥିଲେ? ପଛରେ ଆସୁଥିବା ଫର୍ଚୁନର କାହାର ଥିଲା ?
ଆଶିଷ ମିଶ୍ରଙ୍କ ଉତର
ଜିପ୍ ମୋର ଥିଲା । ଆମ ଡ୍ରାଇଭର ହରିଓମ୍ ମିଶ୍ର ଚଲାଉ ଥିଲା । ଫର୍ଚୁନର ଗାଡି ବିଜେପି କାର୍ଯ୍ୟକର୍ତା ଅଙ୍କିତ ଦାସଙ୍କର । ଘଟଣା ପରଠୁ ସେ ମୋ ଯୋଗାଯୋଗରେ ନାହାନ୍ତି ।
ଏସଆଇଟିର ପ୍ରଶ୍ନ
ତିନିଟି ଗାଡିରୁ ଆପଣ କେଉଁ ଗାଡିରେ ଥିଲେ ?
ଆଶିଷ ମିଶ୍ରଙ୍କ ଉତ୍ତର
ମୁଁ ପୂର୍ବରୁ କହି ସାରିଛି କି ମୁଁ କାର୍ଯ୍ୟକ୍ରମ ସ୍ଥଳରେ ଥିଲି । ମୁଁ କାର୍ଯ୍ୟକ୍ରମ ଛାଡି କେଉଁଆଡେ ଯାଇନାହିଁ ।
ଏସଆଇଟିର ପ୍ରଶ୍ନ
ପ୍ରଦର୍ଶନକାରୀ କହୁଛନ୍ତି ଜିପ୍ ଆପଣ ଚଲାଉଥିଲେ?
ଆଶିଷ ମିଶ୍ରଙ୍କ ଉତର
ନାଁ, ଜିପରେ ମୁଁ ନଥିଲି । ମୁଁ କୌଣସି ଗାଡିରେ ନଥିଲି । ଭିଭିଆଇପିଙ୍କୁ ଆଣିବା ପାଇଁ ମୁଁ ଗାଡିକୁ ପଠାଇଥିଲି ।
ଏସଆଇଟିର ପ୍ରଶ୍ନ
ଯଦି ଘଟଣାସ୍ଥଳରେ ନଥିଲେ ତେବେ ମାମଲା ରୁଜୁ ପରେ କାହିଁକି ଫେରାର ହୋଇଯାଇଥିଲେ? ଗତ ୪୮ ଘଂଟା ମଧ୍ୟରେ କେଉଁଠି କେଉଁଠି ଥିଲେ?
ଆଶିଷ ମିଶ୍ରଙ୍କ ଉତ୍ତର
ମୁଁ ଫେରାର ହୋଇନଥିଲି, ମୁଁ ଜିଲ୍ଲାରେ ହିଁ ଥିଲି । ମୁଁ ମୋ ଗାଁ ବଲବୀରପୁରରେ ହିଁ ଥିଲି । ଦେହ ଖରାପ ଥିବାରୁ ବିଶ୍ରାମ ନେଉଥିଲି ।
ଏସଆଇଟିର ପ୍ରଶ୍ନ
ଗାଡିରୁ ଜବତ ହୋଇଥିବା ଗୁଳିଗୋଳା କାହାର?
ଆଶିଷ ମିଶ୍ରଙ୍କ ଉତ୍ତର
ଗାଡିରେ ଗଲାବେଳେ ନିଜର ସୁରକ୍ଷା ପାଇଁ ରଖିଥାଏ ।