କନକ ବ୍ୟୁରୋ: ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଦ୍ୱିତୀୟ ଡ଼ୋଜ୍ ଟିକାକରଣ ପାଇଁ ଟିକାର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଥିବା ଟିକାକୁ ଯୁବବର୍ଗଙ୍କୁ ଦେବା ପାଇଁ ଓଡ଼ିଶା କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ କୌଣସି ଉତ୍ତର ଆସିନାହିଁ । ଆଉ ଏଭଳି ସ୍ଥିତିରେ କୋଭାକ୍ସିନ୍ ଅଭାବ ଦୂର ପାଇଁ ବିକଳ୍ପ ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା ।
ଟିକାର ନିଅଣ୍ଟିଆ ସ୍ଥିତି ଭିତରେ କେମିତି ଟିକାକରଣ ହେବ, ତାକୁ ନେଇ ଯେତେ ବଡ଼ ସମସ୍ୟା ସୃଷ୍ଟି ହୋଇନିି, ତାଠୁ ଅଧିକ ସମସ୍ୟା ତିଆରି କରିଛି, ଦ୍ୱିତୀୟ ଡୋଜ୍ ଟିକାକୁ ଅପେକ୍ଷା କରିଥିବା ୧୪ରୁ ୪୪ ବର୍ଷ ବୟସ୍କ ଲୋକଙ୍କ ଟିକାକରଣ । ଓଡ଼ିଶାରେ ଟିକାକରଣ ସଂକୁଚିତ ହୋଇଥିବା ବେଳେ ଯୁବ ବର୍ଗ ପାଇଁ ଦ୍ୱିତୀୟ ଡ଼ୋଜ୍ ଟିକାରେ ସଂକଟ ଦେଖାଦେଇଛି । ଏଭଳି ସ୍ଥିତିରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଥିବା ଟିକାକୁ କମ୍ ବୟସ୍କଙ୍କ ପାଇଁ ବ୍ୟବହାର ଅନୁମତି ମାଗିଛି ଓଡ଼ିଶା ।
ଲୋକେ ମେ’ ପ୍ରଥମ ସପ୍ତାହରେ ଟିକାର ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜକୁ ଅନାଇ ବସିଛନ୍ତି । କୋ-ୱିନ୍ ପୋର୍ଟାଲରେ ସ୍ଲଟ ବୁକ କରିବା ସମ୍ଭବ ହେଉନାହିଁ । ତେଣୁ ୧୮ରୁ ୪୪ ବର୍ଷର ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଆଉ ଏହାରି ଭିତରେ ଟିକାର ଅଭାବ ଦୂର କରିବାକୁ ବିକଳ୍ପ ଚିନ୍ତା କରୁଛି ବିଏମସି । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଏଣିକି କେବଳ କୋଭାକ୍ସିନ ପରିବର୍ତ୍ତେ କୋଭିସିଲ୍ଡ ଟିକା ଦେବା କଥା ଚିନ୍ତା କରାଯାଉଛି । ଏଥିପାଇଁ ଟିକାକରଣ ବାବଦରେ ନିଷ୍ପତି କରୁଥିବା ରାଜ୍ୟ ସରକାରଙ୍କ କମିଟି ନିଷ୍ପତି କଲେ ଖୁବଶୀଘ୍ର ଏହା ରାଜଧାନୀରେ କାର୍ଯ୍ୟକାରୀ କରାଯାଇପାରେ ।
ଏପଟେ ମୋଦୀ ସରକାର ସମସ୍ତଙ୍କୁ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି କରି ଆଣି ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ । ସେହିପରି କୋୱିନ୍ ପୋର୍ଟାଲ ଜରିଆରେ ଆଦିବାସୀ ବହୁଳ ଅଂଚଳରେ ରେଜିଷ୍ଟ୍ରେସନ କରିବା ସଂଭବ ନୁହଁ । ଏହି ସବୁ ଅଂଚଳକୁ ପୋର୍ଟାଲରୁ ବାଦ୍ ଦେବାକୁ ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ସୂଚନାଯୋଗ୍ୟ ଯେ, ଟିକାକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଆହ୍ୱାନ ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ଏବେ ଟିକାକରଣ ନିୟମରେ ପରିବର୍ତନ ପାଇଁ ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ । ଚିଠି ଲେଖି ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।