ଭାରତରେ ପହଂଚିଲା ଋଷିଆ ଟିକା ସ୍ପୁଟନିକ-ଭିର ଦ୍ୱିତୀୟ ଡୋଜ । ଖୁବଶୀଘ୍ର ସ୍ପୁଟନିକ –ଭି ଲାଇଟ୍ ର ସିଙ୍ଗଲ ଡୋଜ ଆଣିବାକୁ ଯୋଜନା ।

149

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ବିରୋଧୀ ଟିକାକରଣରେ ଆଉପାଦେ ଆଗେଇଛି ଭାରତ । ଟିକାକରଣକୁ ଦ୍ରୁତ କରିବାକୁ ଋଷ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ କୁ ଭାରତରେ ଅନୁମତି ମିଳିବା ପରେ ଟିକାର ଦ୍ୱିତୀୟ ଡୋଜ ଆଜି ଭାରତରେ ପହଂଚିଛି । ଏହି ଟିକା ବିମାନ ଯୋଗେ ହାଇଦ୍ରାବାଦ ଠାରେ ପହଂଚିବା ପରେ ଭାରତରେ ଋଷ ରାଜଦୂତ ଏନ୍. କୁଦାସେବ କହିଛନ୍ତି କି ଭାରତରେ ସ୍ପୁଟନିକ୍-ଭି ଟିକାର ଉତ୍ପାଦନ କରାଯାଇ ବାର୍ଷିକ ୮୫ କୋଟି ଡୋଜ ପ୍ରସ୍ତୁତ କରିବାକୁ କମ୍ପାନୀ ଆଶା ରଖିଛି ।

ଏହାସହ ଋଷ ରାଜଦୂତ କହିଛନ୍ତି କି ଭାରତରେ ଋଷ ଦ୍ୱାରା ପ୍ରସ୍ତୁତ ହୋଇଥିବା ସିଙ୍ଗଲ ଡୋଜ ଭ୍ୟାକ୍ସିନ ସ୍ପୁଟନିକ୍ ଲାଇଟ୍ ଅଣାଯିବା ନେଇ ଯୋଜନା ଚାଲିଛି । ଏହି ସିଙ୍ଗଲ ଡୋଜ ଟିକାର ପ୍ରଭାବ ସାରା ବିଶ୍ୱ ଜାଣିଥିବା କଥା ସେ କହିଛନ୍ତି ।

କହିରଖୁ କି ଚଳିତ ମାସ ୧ ତାରିଖରେ ସ୍ପୁଟନିକ-ଭି ଟିକାର ପ୍ରଥମ ଡୋଜ ଭାରତରେ ପହଂଚିଥିଲା । ଆଜି ଏହାର ଦ୍ୱିତୀୟ ଡୋଜ ବିମାନ ଯୋଗେ ହାଇଦ୍ରାବାଦ ଠାରେ ପହଂଚିଛି । ଦେଶରେ ଲାଗିରହିଥିବା ଟିକାର ଅଭାବ ଭିତରେ ଗୁରୁବାର ଦିନ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି କି ଆସନ୍ତା ସପ୍ତାହ ଠାରୁ ଭାରତୀୟ ବଜାରରେ ସ୍ପୁଟନିକ୍ ଭି ଟିକା ଉପଲବ୍ଧ ହେବ ।

ଗତ ଶୁକ୍ରବାର ଦିନ ହାଇଦ୍ରାବାଦ ଠାରେ ଡ.ରେଡ୍ଡୀଜ୍ ଲ୍ୟାବରେ ସ୍ପୁଟନିକ- ଭି ଟିକାର ଲଂଚ କରାଯାଇଥିଲା । ଏହି ଟିକା ଏବେ ଭାରତୀୟ ବଜାରରେ ୯୯୫ ଟଙ୍କାରେ ଉପଲବ୍ଧ ହେବ । ଏହାସହ ଡ.ରେଡ୍ଡୀଜ୍ ଲ୍ୟାବର ଜଣେ ଅଧିକାରୀ କହିଛନ୍ତି କି ୮ ରୁ ୧୦ ମାସ ମଧ୍ୟରେ ଭାରତକୁ ସ୍ପୁଟନିକ ଭି ଟିକାର ୨୫ କୋଟି ଡୋଜ୍ ମିଳିବ ଓ ଭାରତରେ ଏହାର ଉତ୍ପାଦନ ଜୁଲାଇ ମାସରୁ ଆରମ୍ଭ ହେବ ।