ଭାରତରେ ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ: ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲରେ ୬୯ ବର୍ଷିୟା ମହିଳାଙ୍କ ମୃତ୍ୟୁ; ଏପଟେ କୁଏତ, ଇଟାଲୀ ସମେତ ୭ ଦେଶକୁ ଏୟାର ଇଣ୍ଡିଆ ଉଡାଣ ବାତିଲ

527

କନକ ବ୍ୟୁରୋ: ଭାରତରେ ଆଉ ଜଣେ କରୋନା ରୋଗୀଙ୍କର ମୃତ୍ୟୁ । ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ମେଡିକାଲରେ ଚିକିତ୍ସାଧିନ ଥିବା ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହି ୬୯ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାବରେ କରୋନା ଭୂତାଣୁ ଥିବା ମଧ୍ୟ ପରୀକ୍ଷାରୁ ଜଣାପଡିଥିଲା । ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଏଥିସହ ଦିଲ୍ଲୀରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଗୁରୁବାର କର୍ଣ୍ଣାଟକର ୭୬ ବର୍ଷିୟ ବୃଦ୍ଧଙ୍କ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ଘଟିଥିଲା ଏବଂ ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର କମିଶନର ସ୍ପଷ୍ଟ କରିଥିଲେ । ଏବେ ଦିଲ୍ଲୀରେ ହୋଇଛି ଦେଶର ଦ୍ୱିତୀୟ କରୋନା ମୃତ୍ୟୁ । ଏପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ରେ ପହଁଚିଛି । ୪ ଟି ପଡୋଶୀ ରାଷ୍ଟ୍ର ସହ ସୀମା ସିଲ୍ କରିଛି ଭାରତ । ପ୍ରଥମ କରୋନା ମୃତ୍ୟୁ ହୋଇଥିବା କର୍ଣ୍ଣାଟକରେ ମଲ, ଜିମ୍ ଓ ସିନେମା ହଲ ବନ୍ଦ ରଖାଯାଇଛି । ମହାରାଷ୍ଟ୍ରରେ ମଧ୍ୟ ମଲ, ଜିମ୍ ଓ ସିନେମା ହଲ ବନ୍ଦ କରିଦିଆଯାଇଛି । ଏଥିସହ ବିଭିନ୍ନ ରାଜ୍ୟରେ ସ୍କୁଲ ଓ କଲେଜ୍ ବନ୍ଦ ରଖାଯାଇଛି ।

ଏପଟେ ଏୟାର ଇଣ୍ଡିଆ, କୁଏତ ଓ ଇଟାଲିକୁ ବିମାନ ଚଳାଚଳ ବାତିଲ କରିଛି । ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ ଓ ଶ୍ରୀଲଙ୍କାକୁ ଏପ୍ରିଲ ୩୦ ଯାଏଁ ବିମାନ ଚଳାଚଳକୁ ବନ୍ଦ ଘୋଷଣା କରିଛି ଏୟାର ଇଣ୍ଡିଆ । ଭାରତକୁ ସମୁଦାୟ ୧୬ଟି ବିଦେଶୀ ଏୟାରଲାଇନ୍ସ ଏବଂ ୪୯୨ ଟି ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି । ଅନ୍ୟପଟେ ୟୁରୋପ ଏବେ ବିଶ୍ୱ ମହାମାରୀର କେନ୍ଦ୍ର ସାଜିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।