ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ପଞ୍ଚାୟତିରାଜ ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ।

131

କନକ ବ୍ୟୁରୋ : ଆରମ୍ଭ ହେଲା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ଗୃହକାର୍ଯ୍ୟ ଆରମ୍ଭ ସହ ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ଗୃହରେ ଚାଲିଛି ସରଗରମ ଆଲୋଚନା । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ବିଧାନସଭାର ଦ୍ୱିତୀୟ ଦିନରେ ଗୃହର ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି । ତେବେ ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠି ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ । ମାର୍ଚ୍ଚ ୨୦୨୩ ସୁଦ୍ଧା, ୫୮% ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇବାକୁ ନିର୍ଦେଶ ଦିଆଯାଇଛି । ନୂଆ ଜନଵସତିରେ ଅତିରିକ୍ତ ଟ୍ୟୁବୱେଲ ଲଗାଯିବ । ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ଟ୍ୟୁବୱେଲ ଲଗାଇବାକୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ଟ୍ୟୁବୱେଲ ଟ୍ୟୁବୱେଲ ଲଗାଯିବ ହେଲେ ଯେଉଁଠି ଘରୋଇ ଟ୍ୟୁବୱେଲ କି ପାଇପ ଅଛି, ସେଠାରେ ଟ୍ୟୁବୱେଲ ଲଗାଯିବାର କୌଣସି ଯୋଜନା ନାହିଁ । ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଆସନ୍ତାକାଲି ଏହା ଉପରେ ଗୃହରେ ଆଲୋଚନା ହେବ । ଆସନ୍ତା ୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ବଜେଟ୍ ଓ କାମଚଳା ବଜେଟ୍ ଗୃହରେ ଉପସ୍ଥାପନ କରିବେ । ସ୍ୱଳ୍ପ ଦିନର ବଜେଟ୍ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଜବାବ ଦେବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ରହିଛି । ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ।