ଜୀବନ ସହ ଜୀବିକା ନେଉଛି ମହାମାରୀ । ଆସିଲା ସାଂଘାତିକ ତଥ୍ୟ, ଦ୍ୱିତୀୟ ଲହରୀରେ ୭୦ ଲକ୍ଷ ବେକାରି ।

397

କନକ ବ୍ୟୁରୋ : ମହାମାରୀ ଜୀବନ ନେଉଛି, ଜୀବିକା ବି ନେଉଛି । ଲକ୍ଷ ଲକ୍ଷ ବେକାରୀ ସୃଷ୍ଟି କରିଛି କରୋନା । ପ୍ରଥମ ଥର ଭଳି ମହାମାରୀର ଦ୍ୱିତୀୟ ଲହର ପୁଣି ଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ପ୍ରାୟ ୭୦ ଲକ୍ଷ ଲୋକ ଜୀବିକା ହରାଇ ବେକାର ହୋଇଛନ୍ତି । ଗତ ୪ ମାସରେ ଦେଶର ବେକାରୀ ହାର ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଛି ।

ଏପଟେ କୂଅ, ସେପଟେ ଖାଇ । ଉଣାଅଧିକେ ଦେଶର ସ୍ଥିତି ଏଇୟା କହିଲେ ହୁଏତ ଭୁଲ ହେବ ନାହିଁ । କରୋନା ଆମକୁ ଏଭଳି ଏକ ଦୋଦୁଲ୍ୟମାନ ସ୍ଥିତିରେ ଆଣି ଛିଡ଼ା କରିଦେଇଛି ଯେ, ଯେଉଁଠି ଜୀବନ ବଂଚାଇବାକୁ ଉଦ୍ୟମ କଲେ ଜୀବିକା ବୁଡ଼ି ଯାଉଛି, ଆଉ ଜୀବିକା ବଂଚାଇବାକୁ ଗଲେ ଜୀବନ ବାଜିରେ ଲାଗି ଯାଉଛି ।

ମହାମାରୀ ଆଣିଲା ବେକାରି । ଦ୍ୱିତୀୟ ଲହରିରେ ୭୦ ଲକ୍ଷ ବେକାରି । କରୋନା କେବଳ ଜୀବନରେ ଯନ୍ତ୍ରଣା ଆଣିନାହିଁ, ବରଂ ଜୀବିକାରେ ଯାତନା ବି ସାଥିରେ ନେଇ ଆସିଛି । ଏକ ଘରୋଇ ସର୍ବେକ୍ଷଣ ସଂସ୍ଥା-ଭାରତୀୟ ଅର୍ଥନୀତି ଅନୁଧ୍ୟାନ କେନ୍ଦ୍ର ବା ସିଏମଆଇଇ’ର ଆକଳନ କହୁଛି,
– ଭାରତରେ ଦ୍ୱିତୀୟ ଲହରିରେ ୭୦ ଲକ୍ଷ ଲୋକ ଚାକିରି ହରାଇଛନ୍ତି
-ଏପ୍ରିଲ ମାସରେ ଦେଶର ବେକାରି ହାର ଚାରି ମାସରେ ସର୍ବାଧିକ
– ବେକାରି ହାର ପ୍ରାୟ ୮% ବୃଦ୍ଧି ପାଇଛି । ଗତ ମାର୍ଚ୍ଚରେ ଏହା ୬.୫% ଥିଲା
-ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ବେକାରି ହାର ଉତ୍କଟ ରହିଛି
-ଶ୍ରମ କ୍ଷେତ୍ରରେ ଯୋଗଦାନ ୪୦% କମିଛି

କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯେହେତୁ ୨ୟ ଲହରିର ପ୍ରଭାବ ଅଧିକ ରହିଛି ଏବଂ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ତେଣୁ ଚଳିତ ମାସରେ ବି ନିଯୁକ୍ତି ନେଇ ବିଶେଷ ଭଲ ଖବର ଆସିବାର ସମ୍ଭାବନା କମ୍ ରହିଛି । ଅର୍ଥାତ୍ ଗତଥର ଭଳି ସ୍ଥିତି ଏଥର ବି ଉପୁଜୁଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଲକଡାଉନ୍ ଘୋଷଣା କରିଥିଲେ, ଠିକ୍ ଏମିତି ଲକ୍ଷ ଲକ୍ଷ ଲୋକଙ୍କୁ ବେକାରି ହେବାକୁ ପଡ଼ିଥିଲା ।

ଗତବର୍ଷ ମହମାରୀ ପ୍ରଭାବରେ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ହେଲେ କଟକଣା ହଟିବା ପରେ ଏଥିରୁ ଧିରେ ଧିରେ ଦେଶ ଉପରକୁ ଉଠୁଥିବା ବେଳେ କରେନାର ଦ୍ୱିତୀୟ ଲହରି ପୁଣି ଥରେ ଅର୍ଥନୀତି ଉପରେ ମାଡ଼ କରିଛି । ଏପ୍ରିଲ ମାସରେ ଯାହାର ପ୍ରଭାବ ସ୍ପଷ୍ଟ ଦେଖାଯାଇଛି ।