ଖୁବଶୀଘ୍ର ଦେଶରେ ହେବ ଟିକାକରଣ : ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୮ ତାରିଖରେ ହେବ ଆଉ ଏକ ଡ୍ରାଏ ରନ୍

45

କନକ ବ୍ୟୁରୋ : ଆଜି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ ଟିକାକରଣ ପାଇଁ ରାଜ୍ୟଗୁଡିକ କିଭଳି ପ୍ରସ୍ତୁତି କରିଛନ୍ତି, ସେନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦିନ ସାଢେ ୧୨ଟାରେ ଭିଡିଓ କନଫରେନସିଂ ଜରିଆରେ ହେବ ଏହି ଉଚ୍ଚସ୍ତରୀୟ ବୈଠକ । ଦୁଇଟି ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ପରେ ଦେଶବ୍ୟାପୀ ଟିକାକରଣକୁ ସୁଚାରୁ ରୂପେ କରିବା ପାଇଁ କୋ-ୱିନ ନାମରେ ଏକ ସଫ୍ଟୱେୟାର ବିକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏଥିରେ କେତେ ପରିମାଣରେ ଟିକା ମହଜୁଦ ଅଛି, ଏଗୁଡିକୁ ସଂରକ୍ଷିତ କରିବା ପାଇଁ କେତେ ତାପମାତ୍ରା ଆବଶ୍ୟକ ଏବଂ ଟିକା ନେବାକୁଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟ ରହିବ । ଏହାକୁ ବ୍ୟବହାର କରିବା ପାଇଁ ଏକ ୨୪ ଘଂଟିଆ ଟୋଲ-ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଟିକାକରଣ ପାଇଁ ଆବଶ୍ୟକ ସିରିଞ୍ଜ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉକପରଣ ବାବଦରେ ମଧ୍ୟ ଏହି ସଫ୍ଟୱେୟାରରୁ ସୂଚନା ମିଳିପାରିବ । ଅନୁମାନ କରାଯାଉଛି ଜାନୁଆରୀ ୧୩-୧୪ ତାରିଖ ବେଳକୁ ଦେଶରେ ଆରମ୍ଭ ହୋଇପାରେ ସମୁହ କୋଭିଡ ଟିକାକରଣ । ଏହା ପୂର୍ବରୁ ଆଗାମୀ ୮ ତାରିଖରେ ମଧ୍ୟ ଆଉ ଏକ ଡ୍ରାଏରନ୍ ହେବାକୁ ଯାଉଛି ।