ପୁଣି ଉଦାହରଣ ସାଜିଲା ଓଡି଼ଶା, ସଫଳ ହେଲା କାଡାଭରିକ୍ ପ୍ରତିରୋପଣ । ଜୁଇକୁ ଯିବା ପୂର୍ବରୁ ଜୀବନ ବଞ୍ଚାଇ ଦେଲେ ସୁଚିତ୍ରା

531

କନକ ବ୍ୟୁରୋ: ଜୀବନ ଚାଲିଗଲା । ହେଲେ ଯିବା ପୂର୍ବରୁ ଆଉ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛନ୍ତି । ଅଙ୍ଗଦାନ କରି ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି ଭୁବନେଶ୍ୱରର ସୁଚିତ୍ରା ଦାଶ । ସୁଚିତ୍ରାଙ୍କ ଦୁଇଟି କିଡନୀ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହୋଇଛି । ୫୪ ବର୍ଷିୟ ଜଗନ୍ନାଥ ସୁର ଏବଂ ମୀନତି ସାମନ୍ତରାୟ ପାଇଛନ୍ତି ନୂଆ ଜୀବନ ।

ବ୍ରେନଡେଡ୍ ଘୋଷିତ ସୁଚିତ୍ରା ଦାଶଙ୍କ ଅଙ୍ଗଦାନ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଆପୋଲୋ ଡାକ୍ତର ଓ ବିଶେଷଜ୍ଞଙ୍କ ଟିମ୍ ଜରୁରୀ ପରୀକ୍ଷା କରିଥିଲେ । ତାପରେ ୩ ଘଂଟା ଧରି ଚାଲିଲା ଅପରେସନ୍ । ସଫଳତାର ସହ ସୁଚିତ୍ରାଙ୍କ ଶରୀରରୁ ଦୁଇଟି କିଡନୀ ବାହାର କରାଯାଇଥିଲା । ଗୋଟିଓ କିଡନୀ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିିବା ଗଂଜାମ ଜିଲ୍ଲାର ଜଗନ୍ନାଥ ସୁରଙ୍କ ଦେହରେ ପ୍ରତିରୋପଣ ହୋଇଥିଲା । ଏବଂ ଅନ୍ୟ କିଡନୀଟିକୁ ବେଶ୍ ସୁରକ୍ଷାର ସହ ଆମ୍ରି ହସପିଟାଲ ପଠାଯାଇଥିଲା । ରାତି ପ୍ରାୟ ୩ଟାରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ମୀନତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିଲା ଦ୍ୱିତୀୟ କିଡନୀ ।

ଦ୍ୱିତୀୟ ଥର ପାଇଁ ଓଡିଶାରେ ସଫଳ ହୋଇଛି କାଡାଭରିକ ପ୍ରତିରୋପଣ । ପ୍ରିୟଙ୍କାଙ୍କ ପରେ ସୁଚିତ୍ରାଙ୍କ କିଡନୀକୁ ସଫଳତାର ସହ ଅନ୍ୟ ଦୁଇଜଣଙ୍କ ଠାରେ ପ୍ରତିରୋପଣ କରି ଇତିହାସ ରଚିଛି ଓଡିଶା । ଏବଂ ଆଗକୁ ବଢିଛି ସୂରଜ ଓ ପ୍ରିୟଙ୍କାଙ୍କ ଅଙ୍ଗଦାନ ଅଭିଯାନ । ତେବେ ପୁରୀ ସ୍ୱର୍ଗଦ୍ୱାରରେ ସୁଚିତ୍ରାଙ୍କ ଜୁଇ ଜଳିଯାଇଛି । ହେଲେ ସୁଚିତ୍ରାଙ୍କ ପାଇଁ ନୂଆ ଜୀବନ ପାଇଥିବା ଅନ୍ୟ ଦୁଇଜଣ ସୁଚିତ୍ରାଙ୍କ ମହତ ଅବଦାନକୁ ମନେ ପକାଉଛନ୍ତି । ଏବଂ ମରି ମଧ୍ୟ ଅମର ହୋଇଯାଇଛନ୍ତି ସୁଚିତ୍ରା ଦାଶ ।