ଓଡିଶାରେ ପୁଣି ବିରଳ କିଡନୀ ଅସ୍ତ୍ରୋପଚାର । ବ୍ରେନଡେଡ୍ ଘୋଷିତ ସୁଚିତ୍ରାଙ୍କ କିଡନୀ ୨ ଜଣଙ୍କଠାରେ ପ୍ରତିରୋପଣ । ହେଲେ ଫେଲ୍ ମାରିଲା ହୃତପିଣ୍ଡ ଓ ଯକୃତ ଟ୍ରାନ୍ସପ୍ଲାଂଟ

ଆଜି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ

253

କନକ ବ୍ୟୁରୋ: ଓଡିଶାରେ ପୁଣି ବିରଳ କିଡନୀ ଅସ୍ତ୍ରୋପଚାର । କିଛିଦିନର ବ୍ୟବଧାନ ପରେ ଓଡିଶାରେ ପୁଣି ଏକ କାଡାଭେରିକ କିଡନୀ ପ୍ରତିରୋପଣ ହୋଇଛି । ସୁଚିତ୍ରା ଦାସ ନାମକ ଜଣେ ୫୬ ବର୍ଷିୟ ମହିଳାଙ୍କ କିଡନୀ ଅନ୍ୟ ଦୁଇଜଣଙ୍କଠାରେ ପ୍ରତିରୋପଣ କରାଯାଇଛି । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ ଏବଂ ଆମ୍ରି ହସ୍ପିଟାଲରେ ହୋଇଛି ଏହି ଅପରେସନ । ଆପୋଲୋ ହସ୍ପିଟାଲର ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗୋଟିଏ କିଡନୀ ଆମ୍ରି ହସ୍ପିଟାଲ ପହଂଚି ଥିବା ବେଳେ ଆପୋଲୋ ହସ୍ପିଟାଲରେ ଆଉ ଗୋଟିଏ କିଡନୀ ଅପରେସନ କରି ପ୍ରତିରୋପଣ କରାଯାଇଛି ।

ଭୁବନେଶ୍ୱର ପୋଖରୀପୁଟ ଅଂଚଳର ସୁଚିତ୍ରା ଦାସ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇବା ପରେ ତାଙ୍କର ଦୁଇଟି କିଡନୀକୁ ଆବଶ୍ୟକ କରୁଥିବା ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ଗତ ୨୩ ତାରିଖରେ ଦୁର୍ଘଟଣାରେ ଗୁରୁତର ସୁଚିତ୍ରାଙ୍କୁ ଆପୋଲୋ ହସପିଟାଲରେ ଭର୍ତି କରାଯାଇଥିଲା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସୁଚିତ୍ରା ଦାସଙ୍କ ବ୍ରେନ ଡେଡ ଘୋଷଣା କରିଥିଲେ ଡାକ୍ତର । ଏହା ପରେ ପରିବାର ଲୋକ ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ । ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ପ୍ରକିୟା ଆରମ୍ଭ କରିଥିଲେ । ସୁଚିତ୍ରାଙ୍କ ଗୋଟିଏ କିଡନୀ ଆପୋଲୋରେ ହିଁ ଜଣେ ରୋଗୀଙ୍କ ଦେହରେ ପ୍ରତିରୋପଣ ହୋଇଥିଲା । ଆଉ ଗୋଟିଏ କିଡନୀକୁ ଆମ୍ରି ହସପିଟାଲ ନିଆଯାଇଥିଲା ।

ବଡକଥା ହେଉଛି, ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ସୁରକ୍ଷିତ ଭାବେ ଆପୋଲୋ ହସ୍ପିଟାଲରୁ ଆମ୍ରି ହସ୍ପିଟାଲକୁ ଏହି କିଡନୀ ନିଆଯାଇଥିଲା । ସେଠାରେ ଜଣେ ରୋଗୀଙ୍କ ଦେହରେ ଏହି କିଡନୀ ପ୍ରତିରୋପଣ କରାଯାଇଛି । ତେବେ ଉଭୟ ଅପରେସନ ସଫଳ ହୋଇଛି କି ନାହିଁ ତାହା ଆଉ କିଛି ସମୟ ପରେ ଡାକ୍ତର ସ୍ପଷ୍ଟ କରିବେ । ଏହାରି ଭିତରେ କିନ୍ତୁ ସୁଚିତ୍ରାଙ୍କ ହୃତପିଣ୍ଡ ଓ ଯକୃତକୁ ମଧ୍ୟ ରାଜ୍ୟ ବାହାରେ ରୋଗୀଙ୍କ ଠାରେ ପ୍ରତିରୋପଣ ପାଇଁ ଡାକ୍ତର ଉଦ୍ୟମ କରିଥିଲେ । ତେବେ ତାହା ସଫଳ ହୋଇପାରିନାହିଁ । କିଛି ଦିନ ପୂର୍ବରୁ କଟକ ବଡ ମେଡିକାଲ ଓ ଆପୋଲୋରେ ସମାନ ଢଙ୍ଗରେ ଗଂଜାମର ୨୨ ବର୍ଷିୟ ପ୍ରିୟଙ୍କାଙ୍କ ଅଙ୍ଗଦାନ ସହ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ସେହି ସମୟରେ ମଧ୍ୟ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରୁ କଟକ ବଡମେଡିକାଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କିଡନୀ ସ୍ଥାନାନ୍ତର କରାଯାଇଥିଲା । ତେବେ ଆପୋଲୋରେ ହୋଇଥିବା ରାଜ୍ୟର ଦ୍ୱିତୀୟ କାଡାଭେରିକ କିଡନୀ ପ୍ରତିରୋପଣ ସଫଳ ହୋଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।