ନନ୍ଦନକାନନରେ ମରିଗଲା ଆଉ ଏକ ଆନାକୋଣ୍ଡା । ୩ ଦିନରେ ଗଲାଣି ୨ ଆନାକୋଣ୍ଡାର ଜୀବନ, ଆଉ ୪ ସାପ ଗୁରୁତର । କାହିଁକି ହେଉଛି ମୃତ୍ୟୁ, ଉଠିଲା ପ୍ରଶ୍ନ ।

275

କନକ ବ୍ୟୁରୋ : ନନ୍ଦନକାନନରେ ସଙ୍କଟରେ ବିରଳ ଆନାକୋଣ୍ଡା । ମାତ୍ର ତିନି ଦିନରେ ୨ଟି ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଏହାର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଆନାକୋଣ୍ଡାର ମାତ୍ରାଧିକ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବାରୁ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଛନ୍ତି ବିଶେଷଜ୍ଞ । ଗତମାସରେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କରୁ ୮ ଟି ଆନାକୋଣ୍ଡା ଅଣାଯାଇଥିଲା । ସେଥିମଧ୍ୟରୁ ୨ଟିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ମାତ୍ର ୬ଟି ଆନାକୋଣ୍ଡା ଜୀବିତ ଅଛନ୍ତି ।

ନନ୍ଦନକାନନରେ ଜନ୍ତୁ ମଡ଼କ ! ହାତୀ ପରେ ସଂକଟରେ ଆନାକୋଣ୍ଡା ! ମାତ୍ର ୩ ଦିନରେ ଗଲାଣି ୨ଟି ହଳଦିଆ ଆନାକୋଣ୍ଡାର ଜୀବନ । ଦୁଇ ଦିନ ତଳେ ଅସୁସ୍ଥ ହୋଇପଡିଥିବା ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା । ଏହାର ଶବ ବ୍ୟବଚ୍ଛେଦ ଓୟୁଏଟିର ପାଥୋଲୋଜି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିଲା । ଏଥିରୁ ମିଳିଥିବା ପ୍ରାଥମିକ ତଥ୍ୟ ବଢାଇ ଦେଇଛି ଚିନ୍ତା । କାରଣ ଅନ୍ତନଳୀରେ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ଏହାର ଗୋଟିଏ କାରଣ ବୀଜାଣୁ ଜନିତ ସଂକ୍ରମଣ ମଧ୍ୟ ହୋଇପାରେ ବୋଲି ସନ୍ଦେହ କରୁଛନ୍ତି ବିଶେଷଜ୍ଞ ।

ନନ୍ଦନକାନନରେ ପୂର୍ବରୁ ମାତ୍ର ମାସକ ଭିତରେ ୩ଟି ହାତୀ ମାରାତ୍ମକ ହାରପିସ୍ ଭୁତାଣୁ ସଂକ୍ରମଣରେ ପ୍ରାଣ ହରାଇଥିଲେ । ଏହି ଭୂତାଣୁ ଯୋଗୁଁ ହାତୀର ଆଭ୍ୟନ୍ତର ରକ୍ତସ୍ରାବ ହେଉଥିଲା ଏବଂ ମାତ୍ର କେଇ ଘଂଟା ମଧ୍ୟରେ ସେ ପ୍ରାଣ ହରାଉଥିଲେ । ତେବେ ପ୍ରଶ୍ନ ଉଠୁଛି, ଆନାକୋଣ୍ଡା କ୍ଷେତ୍ରରେ ସେଭଳି ସ୍ଥିତି ସୃଷ୍ଟି ହୋଇ ନାହିଁ ତ? ଏହି ସରିସୃପର ମୃତ୍ୟୁ ପାଇଁ ବୀଜାଣୁ ଜନିତ ସଂକ୍ରମଣ ଏବଂ ପ୍ରଦୂଷିତ ଖାଦ୍ୟ ଓ ପାନୀୟ ପ୍ରମୁଖ କାରଣ ବୋଲି କୁହାଯାଉଛି । ତେଣୁ ନନ୍ଦନକାନନର ପାନୀୟ ଜଳ ପ୍ରଦୂଷିତ ହୋଇଗଲାଣି କି ?

ଅନ୍ୟପଟେ ମୃତ ଦ୍ୱିତୀୟ ଆନାକୋଣ୍ଡାର ଶବ ବ୍ୟବଚ୍ଛେଦ ଓୟୁଏଟିରେ କରାଯାଇଥିବା କୁହାଯାଉଥିବା ବେଳେ ଏଭଳି କୌଣସି ସୂଚନା ଓୟୁଏଟି କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ । ତେବେ କାହିଁକି ଭୁଲ ତଥ୍ୟ ଦେଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ? ଆଉ କିଛି ଗୁରୁତର ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି କି ଅଧିକାରୀ ?

କାହିଁକି ଆନାକୋଣ୍ଡା ସାପର ମୃତ୍ୟୁ ହୋଇଛି ଏହାର କିଛି ସ୍ପଷ୍ଟ କାରଣ ସାମ୍ନାକୁ ଆସିନଥିବା ବେଳେ ଜୀବିତ ଥିବା ୬ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଆକ୍ରାନ୍ତ ଥିବା ଜଣାପଡିଛି । ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଚେନ୍ନାଇ ଚିଡିଆଖାନା ସହ ସଂପର୍କ କରି ତାଙ୍କ ପରାମର୍ଶରେ ଏବେ ଆକ୍ରାନ୍ତ ଆନାକୋଣ୍ଡା ସାପ ଗୁଡିକର ଚିକିତ୍ସା ଚାଲିଛି । ସାପ ଗୁଡିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ ଆସୁଥିବା ସୂଚନା ମିଳିଛି ।