ସାବିତ୍ରୀ ବ୍ରତର ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ମନ୍ଦିରରେ ଜାରି ହେଲା ୧୪୪ ଧାରା । ମନ୍ଦିରରେ ପୂଜା ଉପରେ ଲାଗିଲା କଟକଣା, ଘରେ ରହି ପୂଜା କରିବାକୁ ପରାମର୍ଶ

1,084

କନକ ବ୍ୟୁରୋ: ରାତିପାହିଲେ ସାବିତ୍ରୀ ବ୍ରତ । ତେବେ ଏହାପୂର୍ବରୁ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଉପରେ କଟକଣା ଲଗାଯାଇଛି । ବିଜ୍ଞପ୍ତି ଜାରି କରି ସ୍ପଷ୍ଟ ଭାବେ କୁହାଯାଇଛି ଯେ, ମନ୍ଦିରକୁ ଯାଇ କୌଣସି ପୂଜାର୍ଚ୍ଚନା ହୋଇପାରିବ ନାହିଁ । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁରର ସମସ୍ତ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ମନ୍ଦିରରେ ପୂଜା ଉପରେ କଟକଣା ଲଗାଯାଇଛି ।

ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରହିବ । ପୂଜା ଉପରେ କଟକଣା ଲଗାଯାଇ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । କାକଟପୁରର ମନ୍ଦିରରେ ମଧ୍ୟ ଭକ୍ତଙ୍କ ପୂଜା ଉପରେ କଟକଣା ଲଗାଯାଇଛି । ସେପଟେ ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି ।

ମେ ୩୧ ତାରିଖ ଯାଏ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ହୋଇଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲଗାଯାଇଛି । ମନ୍ଦିର ଖୋଲିବ ତେବେ ଭକ୍ତଙ୍କ ପୂଜାର୍ଚ୍ଚନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଆସନ୍ତାକାଲି ସାବିତ୍ରୀ ବ୍ରତ । ଏବଂ ବହୁ ସଂଖ୍ୟାରେ ମହିଳା ମାନେ ମନ୍ଦିରକୁ ଯାଇ ପୂଜା କରିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛି । ପରମ୍ପରା ବଜାୟ ରଖିବା ସହ ସମାଜକୁ ସୁରକ୍ଷିତ ରଖିବା ସମସ୍ତଙ୍କ କର୍ତବ୍ୟ ବୋଲି ପୋଲିସ ପ୍ରଶାସନ ବିଜ୍ଞପ୍ତି ଜାରି କରିଛି ।