ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡ଼ିଂକୁ ନିୟନ୍ତ୍ରିତ କରିବ ସେବି : ଫଳରେ ସୁନା କାରବାରରେ ଅଧିକ ପାରଦର୍ଶିତା ଆସିବ

395

କନକ ବ୍ୟୁରୋ : ବଜେଟରେ ଘୋଷଣା କରାଯାଇଛି ଗୋଲ୍ଡ ଏକ୍ସଚେଂଜ ଅର୍ଥାତ ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡିଂକୁ ନିୟନ୍ତ୍ରିତ କରିବ ସେବି । ଫଳରେ ଏହି କାରବାରରେ ଅଧିକ ପାରଦର୍ଶିତା ଆସିବ । ଆମ ଦେଶରେ ସାଧାରଣତଃ ନିବେଶକ ଅଧିକ ଲାଭ ପାଇବା ଆଶାରେ ଷ୍ଟକ ବଜାରରେ କିମ୍ବା ଫିକ୍ସ ଡିପୋଜିଟରେ ନିବେଶ କରିଥାନ୍ତି । ବଜାରରେ ସ୍ଥିରତା ଥିଲେ ସୁନାରେ ନିବେଶ କରିବା କଥା ଚିନ୍ତା କରନ୍ତି । କିନ୍ତୁ ବିଶ୍ୱବ୍ୟାପୀ ନିବେଶକ ବଜାରରେ ଅସ୍ଥିରତା ଆସିଲେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେ କରନ୍ତି । ହେଲେ ଚଳିତ ବଜେଟରେ ମୋଦି ସରକାର ସୁନା, ରୁପା ଉପରୁ ଆମଦାନୀ ଶୁଳ୍କକୁ କମାଇ ଦେଇଛନ୍ତି ।

ବିଶେଷ କରି ସୁନା, ରୁପାରେ ନିବେଶକୁ ପ୍ରୋତ୍ସାହିତ କରିବାକୁ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି । ଭାରତରେ ମୁଖ୍ୟତଃ ସୁନାରେ ତିନି ପ୍ରକାର ନିବେଶ ହେଉଛି । ଲୋକେ ଗହଣା କିଣୁଛନ୍ତି । ନିବେଶକ ସୁନାରେ ନିବେଶ କରୁଛନ୍ତି । ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜ ପାଖରେ ଗଚ୍ଛିତ ରଖିବାକୁ ସୁନା କିଣିଥାଏ । ଏବେ ସୁନାରେ ନିବେଶକୁ ଅଧିକ ସ୍ୱଚ୍ଛ କରିବା ପାଇଁ ସେବୀକୁ କ୍ଷମତା ପ୍ରଦାନ କରାଯାଇଛି । ଫଳରେ ଲୋକେ ଠକେଇରେ ପଡିବେ ନାହିଁ ଏବଂ ଗୋଲ୍ଡ ଏକ୍ସଚେଞ୍ଜରୁ ସୁନାର ଉଚିତ ମୂଲ୍ୟ ମଧ୍ୟ ପାଇପାରିବେ ।