କନକ ବ୍ୟୁରୋ : ବଡ଼ ଠାକୁରଙ୍କ ସହ ବଡ ଅଘଟଣ ଘଟିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସେବାୟତମାନଙ୍କ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ । ତା ମଧ୍ୟରେ ସବୁଠାରୁ ବଡ ନିର୍ଦ୍ଦେଶ ଥିବା କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଆଜି ବାହୁଡା ଯାତ୍ରାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକୁ ଫୁ କରି ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସକଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ଖୁସିମନରେ ଭିଡିଓ କରିବାର ଚିତ୍ର ଭାଇରାଲ ହେଉଛି । ଯଦି ପୁଣି କିଛି ଅଘଟଣ ଘଟେ ତେବେ ସେବାୟତଙ୍କ ଉପରେ ମୁଖ୍ୟ ପ୍ରଶାସକ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ କି ତାହା ଏବେ ପ୍ରଶ୍ନବାଚୀ । ସେପଟେ ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣ ସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ରଥ ଉପରେ ଅଣସେବାୟତମାନଙ୍କୁ ଦେଖିବାକୁ ମିଳିଥିଲା । ଏହାର ଖବର ପାଇଁ ନିଜେ ମୁଖ୍ୟ ପ୍ରଶାସକ ସେମାନଙ୍କ ରଥରୁ ଓହ୍ଲାଇ ଦେଇଥିବା ଚିତ୍ର ବୟାନ କରୁଛି କି, ପୁରୀରେ ପ୍ରଶାସକ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏମାନଙ୍କର ନିୟମ ଓ ନିର୍ଦ୍ଦେଶକୁ ସେବାୟତମାନେ କିଭଳି ଅଣଦେଖା କରୁଛନ୍ତି ।