କେମିତି ହେବ ରଥଯାତ୍ରା ? ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ ଅଣସର ପିଣ୍ଡିରୁ ରଥକୁ ଠାକୁର ନଆସିଲେ ଇତିହାସରେ ଲାଗିବ କଳଙ୍କ, ସରକାରଙ୍କ ନିଷ୍ପତିକୁ ଅପେକ୍ଷା ।

883

କନକ ବ୍ୟୁରୋ : କରୋନାର ମହାମାରୀ ଭିତରେ ସରିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ବିନା ଭକ୍ତରେ ଶାନ୍ତିଶୃଙ୍ଖଳାର ସହ ସ୍ନାନଯାତ୍ରା ହୋଇଛି । ଠିକ୍ ଏହିଭଳି ଶ୍ରୀଜିଉଙ୍କ ରଥଯାତ୍ରା କରିବାକୁ ମତ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ବାଡଗ୍ରାହୀ । ସ୍ନାନଯାତ୍ରା ପରି ଭକ୍ତମାନେ ଘରେ ବସି ଟିଭିରେ ରଥଯାତ୍ରା ଦେଖିବେ ଏବଂ ଏଥିରେ ମହାପ୍ରଭୁଙ୍କ ବିଧି ପାଳନ ହୋଇପାରିବ ବୋଲି ମତ ରଖିଛନ୍ତି ବରିଷ୍ଠ ସେବାୟତ ।

ଅଣସର ଘରୁ ରଥକୁ ଆସିବେ ମହାପ୍ରଭୁ । ନ ହେଲେ ହୋଇଯିବ ବହୁତ ବଡ ଭୁଲ । ସ୍ନାନ ବେଦୀରେ ୧୦୮ ଗରା ପାଣି ଗୋଧୋଇ ଏବେ ଅଣସର ଘରେ ଚତୁର୍ଦ୍ଧା ମୂରତି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ପ୍ରଶ୍ନ, କରୋନା ସହିତ ସାରା ଦେଶ ଲଢେଇ କରୁଥିବା ବେଳେ ଅଣସର ଘରୁ ରଥ ଉପରକୁ ଆସିବେ ତ ମହାପ୍ରଭୁ ? ଏହା ମଧ୍ୟ ପ୍ରଶ୍ନ ଉଠେ, ଯଦି କୌଣସି କାରଣରୁ ରଥଯାତ୍ରା ନ ହୋଇପାରିଲା, ତେବେ କଣ ହେବ ?

ଜଗନ୍ନାଥଙ୍କ ବାଡଗ୍ରାହୀ, ଜଗନ୍ନାଥ ଦାସ ମହାପାତ୍ରଙ୍କ କହିବାନୁସାରେ, ସ୍ନାନ ମଣ୍ଡପରୁ ଅଣସର ଘରକୁ ଯିବା ପରେ ସେଠାରେ ଉପଚାର କରାଯାଇଥାଏ । ମହାପ୍ରଭୁ ସୁସ୍ଥ ହେବା ପରେ ସିଧା ରଥ ଉପରକୁ ଆସିବାର ପରମ୍ପରା ରହିଛି । ଯଦି ପୁଣି ଥରେ ରତ୍ନବେଦୀକୁ ମହାପ୍ରଭୁଙ୍କୁ ନିଆଯାଏ ତେବେ ବହୁତ ବଡ ଭୁଲ ହୋଇଯିବ । ଏପରି ନ କରାଯାଉ । କରୋନା କଟକଣା ଭିତରେ ରଥଯାତ୍ରା ହେଉ । ସ୍ନାନଯାତ୍ରା ପରି ଭକ୍ତମାନେ ଘରେ ବସି ଟିଭିରେ ଦେଖିବେ ରଥଯାତ୍ରା ।

ସୁରୁଖୁରୁରେ ସରିଲା ସ୍ନାନଯାତ୍ରା । କଟକଣା ଭିତରେ ହେବ କି ରଥଯାତ୍ରା ? କରୋନା ସହିତ ଦେଶ ମୁକାବିଲା କରୁଥିବା ବେଳେ ସ୍ନାନମଣ୍ଡପରେ ବିରାଜିଥିଲେ ଚତୁର୍ଦ୍ଧାମୂରତି । ୧୦୮ଗରା ଜଳରେ ଗାଧୋଇଲେ ମହାପ୍ରଭୁ । ହାତୀ ବେଶ ବି ହେଲା । କିନ୍ତୁ ଅନ୍ୟ ବର୍ଷର ଯାତ୍ରା ଠାରୁ ଯଦି କିଛି ଅଲଗା ଥିଲା ତା ହେଉଛି ବିନା ଭକ୍ତରେ ସ୍ନାନଯାତ୍ରା । ଘରେ ଟିଭିରେ ବସି ଲକ୍ଷ ଲକ୍ଷ ଲୋକ ଦେଖିଲେ ସ୍ନାନଯାତ୍ରା । ଗତ ପରିଚାଳନା କମିଟି ବୈଠକରେ କରୋନା କଟକଣା ଭିତରେ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସ୍ନାନଯାତ୍ରା ପରି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ କୁହାଯାଇଛି । ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ।

ରଥ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥ ପାଇଁ ଆବଶ୍ୟକ ଦୌଡି, କନା ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ଆସିଗଲାଣି । ଜୁନ ୨୩ରେ ରଥଯାତ୍ରା ହେବାକୁ ଥିବା ବେଳେ ରଥଯାତ୍ରା କିପରି ହେବ ସେନେଇ ଜୁନ ୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିଯିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ସେବାୟତ । ଏବେ ଅପେକ୍ଷା ରାଜ୍ୟ ସରକାର ପରିଚାଳନା କମିଟିର ପରାମର୍ଶକୁ କିପରି ଗ୍ରହଣ କରୁଛନ୍ତି ଏବଂ କିପରି ପରିସ୍ଥିତିରେ ରଥଯାତ୍ରା ହେବ ସେନେଇ କଣ ନିଷ୍ପତି ନେଉଛନ୍ତି ।