କନକ ବ୍ୟୁରୋ : କରୋନା ଭୂତାଣୁର ଦ୍ବିତୀୟ ଲହର ଏବେ ପୁରୀ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିବା ସହ ବିପଦ ଘନେଇବାରେ ଲାଗିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ସଂକ୍ରମଣ ସଂଖ୍ୟା ବଢ଼ିଚାଲିବା ଚିନ୍ତାର କାରଣ ହୋଇଛି। ଏହା ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢ଼ାଇ ଦେଇଛି। ଯଦି ଏବେଠୁ ସେବାୟତ ଓ କର୍ମଚାରୀ ସଂକ୍ରମଣକୁ ରୋକା ନଯାଏ, ଆଗକୁ ସ୍ଥିତି ଅସମ୍ଭାଳ ହେବା ସହ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବା ଜଳଜଳ ହୋଇ ଦିଶିଲାଣି। ସେପଟେ କୁମ୍ଭମେଳାରେ ଯାଇଥିବା ସେବାୟତ ଏବେ ଚିନ୍ତା ବଢ଼ାଇଲେଣି। ସରକାର କୁମ୍ଭମେଳାରୁ ଫେରିବା ପରେ ଦୁଇ ଦୁଇ ଥର ଆର୍ଟିପିସିଆର ଟେଷ୍ଟ ସହ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଥିଲେ ବି ସେବାୟତମାନେ ଏହାକୁ ମାନୁନଥିବାରୁ ପରିସ୍ଥିତି ସଙ୍ଗିନ ହେବା ଆଶଙ୍କା ଦେଖାଦେଇଛି।
୨୦୨୦ ମସିହାରେ ଯେତେବେଳେ କରୋନାର ସଂକ୍ରମଣ ବଢ଼ିଥିଲା ସେ ସମୟରେ ଏତେ ସଂଖ୍ୟାରେ ସେବାୟତ ଓ କର୍ମଚାରୀମାନେ ସଂକ୍ରମିତ ହୋଇନଥିଲେ। ଶ୍ରୀମନ୍ଦିର ବନ୍ଦ ରହିବା ପରେ ଭକ୍ତଙ୍କ ଆଗମନ ବନ୍ଦ ହେବାରୁ ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ସମ୍ଭବପର ହୋଇଥିଲା। ସେପଟେ ଏକାଧିକ ଥର ସେବାୟତଙ୍କ କୋଭିଡ୍ ଟେଷ୍ଟ ସାଙ୍ଗକୁ ପ୍ରତି ପରିବାରକୁ ହୋମିଓପାଥିକ୍ ଔଷଧ, ଘର ଘର ବୁଲି ସର୍ଭେ କରାଯିବା ସ୍ଥିତିରେ ପରିବର୍ତ୍ତନ ଆଣିଥିଲା। କିନ୍ତୁ ଚଳିତବର୍ଷ ପୂର୍ବଭଳି ପଦକ୍ଷେପ ନେବାକୁ ଘୋଷଣା କରାଯାଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି । ପରିଣାମ ସ୍ବରୂପ ସେବାୟତ ସଂକ୍ରମଣ ବଢ଼ିଚାଲିଛି ।
ମିଳିଥିବା ସୂଚନା ମୁତାବକ, ୫୦ଜଣ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ସଂକ୍ରମିତଙ୍କ ଭିତରେ ୧୫ଜଣ ସେବାୟତ ରହିଛନ୍ତି। ସେହିଭଳି ସେବାୟତ ପରିବାରର ୭ଜଣ କରୋନା ସଂକ୍ରମିତ ହୋଇଛନ୍ତି। ୯ଜଣ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇ ସାରିଲେଣି। ବଡ଼କଥା ହେଉଛି ନିଶୁଳ୍କ ଜୋତାଷ୍ଟାଣ୍ଡ୍ର ୧୯ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଜୋତାଷ୍ଟାଣ୍ଡ୍ର ୮ଜଣ କରୋନା ସଂକ୍ରମିତ ହୋଇଥିଲେ। ଏହି ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଯାହା ଚିନ୍ତାର କାରଣ ପାଲଟିଛି। ସେପଟେ ଅଦ୍ୟାବଧି ପୁରୀ ଜିଲ୍ଲାରୁ ୩୫ଜଣ କୁମ୍ଭମେଳା ଯାତ୍ରାରେ ଯାଇଥିବା ଜିଲ୍ଲା ପ୍ରଶାସନର ତଥ୍ୟ ହସ୍ତଗତ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ବାକି କେଉଁମାନେ କୁମ୍ଭମେଳାରୁ ଫେରୁଛନ୍ତି ସେମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଥିବା ଜିଲ୍ଲାପାଳ କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, କୁମ୍ଭମେଳାରୁ ଫେରିଥିବା ୩୫ଜଣଙ୍କ ମଧ୍ୟରୁ ୨୨ଜଣ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ରହିଛନ୍ତି। ଯେଉଁଥିରେ ୧୮ ସେବାୟତ ଓ ବାକି ୪ଜଣ ପରିବାର ସଦସ୍ୟ ରହିଛନ୍ତି। ୨୨ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ଆର୍ଟିପିସିଆର ଟେଷ୍ଟ କରାଯାଇଛି। ଏ ମଧ୍ୟରୁ ଦୁଇଜଣଙ୍କ ରିପୋର୍ଟ ନେଗେଟିଭ୍ ଥିବାବେଳେ ୧୩ଜଣଙ୍କ ରିପୋର୍ଟ ଆସିନାହିଁ। ବାକି ୭ଜଣ ସେବାୟତଙ୍କ ଆଜି ଆର୍ଟିପିସିଆର ଟେଷ୍ଟ କରାଯାଇଥିବା ମନ୍ଦିର ପ୍ରଶାସନ କହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/1200px-Shri_Jagannatha_Temple.jpg)