କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାରକୁ ଟକ୍କର ଦେବା ପୁଣି ଏକାଠି ହେଉଛନ୍ତି ବିରୋଧୀ ମେଣ୍ଟ । ଆଜିଠାରୁ ମୁମ୍ବାଇରେ ଦୁଇ ଦିନିଆ ବିରୋଧୀ ଦଳ ବୈଠକ ହେବ । ଏଥିରେ ସାମିଲ ହେବେ ୨୬ରୁ ଅଧିକ ବିରୋଧୀ ଦଳ । ଏହି ବୈଠକ ମୁମ୍ବାଇରେ ହେଉଥିବାରୁ ତିନି ମହାବିକାଶ ଅଘାଡ଼ି ଦଳ କଂଗ୍ରେସ, ଏନସିପି ଓ ଶିବସେନା ଏହି ଦାୟିତ୍ୱ ତୁଲାଉଛନ୍ତି । ବୈଠକ ପୂର୍ବରୁ ବୁଧବାର ତିନି ଦଳର ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Advertisment

ଏଥିରେ ଶିବସେନା ନେତା ଆଦିତ୍ୟ ଠାକରେ, ସଞ୍ଜୟ ରାଉତ, ନାନା ପାଟୋଲେ, ଅଶୋକ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବୈଠକରେ କ’ଣ ଆଲୋଚନା ହୋଇଛି, ସେ ନେଇ କୌଣସି ସୂଚନା ମିଳିନାହିଁ । ଆଜି ବୈଠକରେ ଇଣ୍ଡିଆ ମେଣ୍ଟକୁ ନୂଆ ଲୋଗୋ ଉନ୍ମୋଚନ ହେବା ନେଇ ସୂଚନା ମିଳିଛି । ଏହି ବୈଠକରେ ମେଣ୍ଟର ନିର୍ବାଚନ ପରିଚାଳନା ପାଇଁ ଏକ କାର୍ଯ୍ୟାଳୟର ରୂପରେଖ ନେଇ ଆଲୋଚନା ହୋଇପାରେ । ମେଣ୍ଟର ୫ରୁ ୧୦ ଜଣ ମୁଖପାତ୍ର ହେବା ନେଇ ମଧ୍ୟ ଆଲୋଚନା ହୋଇପାରେ । ମେଂଟର ମିଡିଆ ଓ ସୋସିଆଲ ମିଡିଆ ଟିମ୍ ଗଠନ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ଜାତୀୟ ଏଜେଣ୍ଡା ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯିବ । ଏହାବ୍ୟତୀତ ପ୍ରଚାର ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇପାରେ । ବୈଠକରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଯୋଗ ଦେବେ । ବୈଠକର ଦିନକ ପୂର୍ବରୁ ବିଏସପି ସୁପ୍ରିମୋ ମାୟାବତୀ ଇଣ୍ଡିଆ ମେଂଟରେ ଯୋଗଦେବା ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।