ମେଣ୍ଟ ନିଷ୍ପତି ପରେ ବି ସିଟ୍ ଭାଗବଣ୍ଟା ଅଙ୍କ ଛିଡୁନଥିବା ସୂଚନା । କାହାକୁ ମିଳିବ କେତେ ସିଟ୍, ଭିନ୍ନ ଭିନ୍ନ ଆକଳନ

684

କନକ ବ୍ୟୁରୋ : ବିଜେଡି-ବିଜେପି ମେଣ୍ଟ ନେଇ ଏକ ପ୍ରକାର ସବୁଜ ସଂକେତ ମିଳିସାରିଛି । କେବଳ ମେଣ୍ଟ ଘୋଷଣାର ଔପଚାରିକତା ବାକି ରହିଛି । ସେହି ଔପଚାରିକତା ସରିଲେ ପ୍ରଥମ କାମଟି ହେବ-ସିଟ୍ ସେୟାରିଂ । ଅର୍ଥାତ୍ ମେଣ୍ଟରେ କେଉଁ ଦଳକୁ କେତେ ଆସନ ମିଳିବ, ସେ ନେଇ ନିଷ୍ପତି କରିବା । ଉଭୟ ବିଧାନସଭା ଓ ଲୋକସଭାରେ କାହା ଭାଗରେ କେତେ ଆସନ ପଡ଼ିବ । କେଉଁ ଆସନରୁ କିଏ ଲଢ଼ିବ ସେ ସମ୍ପର୍କରେ ଏକ ବଡ଼ କରସତ କରିବାକୁ ଯାଉଛନ୍ତି ଉଭୟ ମେଣ୍ଟ ସହଯୋଗୀ ।

ମେଣ୍ଟର ଔପଚାରିକ ଘୋଷଣା ପରେ ମୁଖ୍ୟତଃ ଦୁଇଟି ଦିଗ ଉପରେ ରହିବ ଦୁଇ ଦଳର ଫୋକସ୍ । ୧- ସିଟ୍ ସେୟାରିଂ ବା ଆସନ ବୁଝାବଣା । ୨- କମନ ଏଜେଣ୍ଡା ବା ମେଣ୍ଟର ଆଭିମୁଖ୍ୟ । ପ୍ରଥମେ ଆସନ ବୁଝାମଣା କସରତ ହେବ । କେଉଁ ଦଳକୁ କେତେ ଆସନ ମିଳିବ, ସେ ନେଇ ନିଷ୍ପତି କରାଯିବ । ଉଭୟ ବିଧାନସଭା ଓ ଲୋକସଭାରେ କାହା ଭାଗରେ କେତେ ଆସନ ପଡ଼ିବ ସେନେଇ ସ୍ଥିର କରାଯିବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ- ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେପି ଖାତାକୁ ଯାଇପାରେ ୧୩ଟି ଆସନ । ଆଉ ମେଣ୍ଟ ସହଯୋଗୀ ଭାବେ ବିଜେଡି ୮ଟି ଲୋକସଭା ଆସନ ରଖିପାରେ ।

ସୂଚନା ଅନୁସାରେ- ୮ଟି ଲୋକସଭା: ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଆସ୍କା, କନ୍ଧମାଳ ଓ ବ୍ରହ୍ମପୁର ଆସନ ବିଜେଡି ନିଜ ପାଖରେ ରଖିବ । ଚର୍ଚ୍ଚା ଅନୁସାରେ ଭୁବନେଶ୍ୱର ରାଜଧାନୀ ସହର ହୋଇଥିବାରୁ ଆସନକୁ ନିଜ ହାତରେ ରଖିବାର ଲକ୍ଷ୍ୟ ରଖିଛି ଦଳ । ସେହିପରି କଟକ, କେନ୍ଦ୍ରାପଡ଼ା, ଯାଜପୁର ଲୋକସଭା ଆସନ ମଧ୍ୟ ରଖିପାରେ ବିଜେଡି । କାରଣ, ଏହି ୩ଟି ଲୋକସଭା ସହ ବିଜେଡି ରାଜନୀତି ଓତଃପ୍ରୋତଃ ଭାବେ ଜଡ଼ିତ । ଠିକ୍ ସେହିପରି ଆସ୍କା ଆସନରୁ ନବୀନ ପ୍ରଥମେ ଲୋକସଭା ନିର୍ବାଚନ ଲଢ଼ିଥିବାରୁ ଏବଂ ବ୍ରହ୍ମପୁର ଗଂଜାମ ଜିଲ୍ଳାରୁ ଆସୁଥିବା ଏହି ଦୁଇଟି ଆସନ ବିଜେଡି ରଖିବାକୁ ଚେଷ୍ଟା କରିବ । ଆଉ କନ୍ଧମାଳ ଦଙ୍ଗା ପରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା । ତେଣୁ କନ୍ଧମାଳ ଆସନ ମଧ୍ୟ ବିଜେପିକୁ ଛାଡ଼ି ନପାରେ ବିଜୁ ଜନତା ଦଳ ।

ସୂଚନା ଅନୁସାରେ- ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ପୁରୀ, କୋରାପୁଟ ଓ ନବରଙ୍ଗପୁର ଆସନ ବିଜେପି ଭାଗରେ ପଡ଼ିପାରେ । ଏହି ୧୩ଟି ଆସନରୁ ଅଧିକାଂଶ ଲୋକସଭା ଆସନରେ ବିଜେପିର ଉପସ୍ଥିତି ମଜବୁତ ରହିଛି ।

ବିଧାନସଭା ଆସନ ଭାଗଭଣ୍ଟାକୁ ନେଇ ଦୁଇଟି ସୂଚନା ଆସୁଛି- ପ୍ରଥମ ଆକଳନ ଅନୁସାରେ ୧୪୭ ବିଧାନସଭା ଆସନରୁ ବିଜେଡି ୧୦୨ ଏବଂ ବିଜେପି ୪୫ ଆସନରେ ନିର୍ବାଚନ ଲଢ଼ିପାରନ୍ତି । ଦ୍ୱିତୀୟ ଆକଳନ ଅନୁସାରେ- ୧୪୭ ବିଧାନସଭା ଆସନରୁ ବିଜେଡି ୧୦୬ ଏବଂ ବିଜେପି ୪୧ ଆସନରେ ନିର୍ବାଚନ ଲଢ଼ିପାରନ୍ତି ।