କଂଗ୍ରେସ ଭବନରେ ଟିକେଟ୍ କଳି! ଆସନ ଏକ, ଆଶାୟୀ ଅନେକ, ଜଟଣୀରୁ କାହାକୁ ମିଳିବ ଟିକେଟ୍?

401

କନକ ବ୍ୟୁରୋ: ଥମୁନି କଂଗ୍ରେସ ଟିକେଟ କଳି । ଜଟଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । ଗୋଟିଏ ଆସନ ପାଇଁ ଅନେକ ଆଶାୟୀ ଥିବାରୁ କଂଗ୍ରେସ ଭବନରେ ବାରମ୍ବାର ‘ଜଟଣୀ କଳି’ ଦେଖିବାକୁ ମିଳିଛି । ଆଜି ଆଶାୟୀ ପ୍ରାର୍ଥୀ ଅଶୋକ ମଙ୍ଗରାଜଙ୍କ ନାରାବାଜି କରିଥିବା ବେଳେ କାଲି ହଙ୍ଗାମା କରିଥିଲେ ବିଧାୟକ ସୁରେଶ ରାଉତରାୟଙ୍କ ପୁତୁରା । ସେପଟେ ବିଧାୟକଙ୍କ ବଡ ପୁଅ ସିଦ୍ଧାର୍ଥ ମଧ୍ୟ ଟିକେଟ ଲବି କରୁଥିବା ଜଣାପଡିଛି ।

କଂଗ୍ରେସ ଭବନରେ ଦେଖାଦେଇଥିବା ଏହି ହୋହହ୍ଲା ଓ ହଙ୍ଗାମା ପଛର କାରଣଟି ହେଉଛି ଜଟଣୀ ଆସନକୁ ନେଇ । ଜଟଣୀ ବିଧାନସଭା ଆସନରେ ଏଥର କାହାକୁ କଂଗ୍ରେସ ଟିକେଟ୍ ମିଳିବ ତାକୁ ନେଇ ଗୋଟିଏ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି । ଜଟଣୀରୁ ବିଧାୟକ ନିର୍ବାଚିତ ହୋଇଥିବା ସୁର ରାଉତରାୟ ନିର୍ବାଚନ ଲଢ଼ିବି ନାହିଁ ବୋଲି ଘୋଷଣା କରି ଦେବା ପରେ, ଏହି ଆସନକୁ ନେଇ ପ୍ରତିଯୋଗିତା ଚାଲିଛି । ପ୍ରତିଯୋଗିତାରେ ଅଛନ୍ତି- ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ, ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ, ସୁରଙ୍କ ସମର୍ଥକ ଅଶୋକ ମଙ୍ଗରାଜ ଏବଂ ବିଜେପିରୁ ଇସ୍ତଫା ଦେଇଥିବା କଂଗ୍ରେସ ଆସିବାକୁ ଉଦ୍ୟମ କରୁଥିବା ସନ୍ତୋଷ ଜେନା । ଗତକାଲି ସୁରଙ୍କ ପୁତୁରା ଆସି କଂଗ୍ରେସ ଭବନରେ ହୋହହ୍ଲା କରିଥିବା ବେଳେ ସକାଳେ ସମର୍ଥକଙ୍କୁ ନେଇ ପହଂଚିଥିଲେ ଅଶୋକ ମଙ୍ଗରାଜ ।

ବାପା-ପୁଅ ମିଶି ରାଜନୀତିକୁ ଗୋଳିଆ କରୁଥିବା ପୁତୁରା ଅଭିଯୋଗ କରିଥିବା ବେଳେ ବିଜେପି ଛାଡ଼ି ଆସିଥିବା ନେତା ଏବେ ଜଟଣୀରେ ଟିକେଟ୍ ଆଶାୟୀ ଅଛନ୍ତି । ବିଧାୟକ ସୁର ରାଉତରାୟ ଚଳିତ ଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ତେଣୁ ଏହି ଆସନର ଟିକେଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏହି ରାଜନୈତିକ ଛକାପଞ୍ଝା ଭିତରେ ଜଟଣୀରେ କଂଗ୍ରେସର ପ୍ରାର୍ଥୀ ହେଉଛନ୍ତି, ତା ଉପରେ ରହିଛି ସମସ୍ତ କଂଗ୍ରେସ ସମର୍ଥକଙ୍କ ନଜର ।