ଧାନ ବିଲରେ କାଳବୈଶାଖୀ ପ୍ରଭାବ। ଅମଳ ଆଗରୁ ଉଜୁଡି଼ଗଲା ଧାନ ଫସଲ।

88

କନକ ବ୍ୟୁରୋ: ଅମଳ ଆଗରୁ ଉଜୁଡିଗଲା ଧାନ ଫସଲ । ପ୍ରଥମେ ରୋଗ ପୋକ ଲାଗିବାରୁ ୩୦ ପ୍ରତିଶତ ଧାନ ନଷ୍ଟ ହୋଇଥିଲା, ଏବେ କୁଆପଥର ମାଡରେ ଆଉ ୬୦ ପ୍ରତିଶତ ଧାନ ଫସଲ ଉଜାଡି ଦେଇଛି । ଧାନ କେଣ୍ଡାରେ ନ ରହି ମାଟି ଉପରେ ମେଲେଇ ହୋଇପଡିଛି । କୁଆପଥର ମାଡ ଯୋଗୁଁ ଧାନ ଗୁଡିକ କେଣ୍ଡାରୁ ଛଣ୍ଡିଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳ ପ୍ରାୟ ୧୩ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି ।

ଏ ବର୍ଷ ପ୍ରଥମରୁ ପାଗ ଅନୁକୁଳ ଥିବାରୁ ଚାଷ ଭଲ ହୋଇଥିଲା । ଧାନ ଭଲ ଫଳିଥିଲା, ଧାନ କ୍ଷେତକୁ ଦେଖି ଚାଷୀ ଋଣ ପରିଶୋଧ କରିବାକୁ ମନସ୍ଥ କରିଥିଲେ । ହେଲେ କାଳବୈଶାଖୀ ଯୋଗୁଁ ଫସଲ ଉଜୁଡି ଯାଇଛି । ଧାନ ବିଲକୁ ଚାଷୀଙ୍କ ଦା’ ଯିବା ଆଗରୁ ଧାନ ଗୁଡିକ କେଣ୍ଡାରୁ ଛିଣ୍ଡି ତଳେ ପଡିଯାଇଛି । ସେପଟେ ଭୋଗରାଇ ବ୍ଲକ କୃଷି ଅଧିକାରୀ କହିଛନ୍ତି, ରାଜସ୍ୱ ବିଭାଗ ଓ କୃଷି ବିଭାଗର ମିଳିତ ଉଦ୍ୟମରେ କ୍ଷୟକ୍ଷତିର ଅନୁଧ୍ୟାନ କରାଯାଉଛି । ରିପୋର୍ଟ ଆସିଲେ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରାଯିବ । ରବି ଋତୁରେ ଅନ୍ୟ ସବୁ ଅଂଚଳରେ ଲୋକେ ବିରି-ମୁଗ ଚାଷ କରୁଥିବା ବେଳେ ଭୋଗରାଇରେ ଚାଷୀ ଧାନ ଚାଷ କରିଥାନ୍ତି ।