ଇଡିକୁ ବ୍ୟବହାର କରୁଛି କିଏ ? ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତି ଆଟାଚ୍ କରିବା ପରେ ଚର୍ଚ୍ଚା ଆରମ୍ଭ

117

କନକ ବ୍ୟୁରୋ : ପୁଣି ସକ୍ରିୟ ହେଲା କି ଇଡି ? ଶନିବାର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତି ଆଟାଚ୍ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପ୍ରଭାତଙ୍କ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗରେ ମଧ୍ୟ ବହୁ ଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି ଜେରା କରୁଛି ଇଡି ।

ଏହା ସହ ତାଙ୍କର ଦେଶ ଓ ବିଦେଶରେ ଥିବା ବିଭିନ୍ନ ସମ୍ପତି ଉପରେ ଚଢଉ କରି କୋଟି କୋଟି ଟଙ୍କା ଜବତ କରି ସାରିଲାଣି । ସେହିପରି ମହାରାଷ୍ଟ୍ରରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପାତ୍ରଚାୱଲ ଜମି ଦୁର୍ନୀତି ମାମଲାରେ ସମନ କରିବା ସହ ତାଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ପରେ ଓଡ଼ିଶାରେ ବିଜେପି ବିରୋଧୀ ନେତାଙ୍କ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

ପଶ୍ଚିମବଙ୍ଗରେ ଯେଉଁ ଭଳି ଟଙ୍କାର ପାହାଡ ବାହାରୁଛି ସେନେଇ ଇଡିର କାର୍ଯ୍ୟକୁ ପ୍ରଶଂସା କରିବା ଅବାଶ୍ୟକ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେପଟେ ବିଜେଡି କହିଛି କେନ୍ଦ୍ରୀୟ ଅନୁଷ୍ଠାନକୁ କେନ୍ଦ୍ର ସରକାର ନିଜ ହାତ ବାରିସି କରି ରଖୁଛନ୍ତି । ହେଲେ ଏଥିରେ ଦଳ ଭୟଭୀତ ହେବାର ନାହିଁ । କଂଗ୍ରେସ କହିଛି ଉଦ୍ଦେଶ୍ୟମୂଳକ ଭାବେ ଇଡିକୁ ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର ।