ଆହୁରି ସପ୍ତାହେ ଯାଏଁ ବଢିବ ତାତି! ଉପୁଜିପାରେ ଅଂଶଘାତ ସ୍ଥିତି…ଆଜି ୩ ଜିଲ୍ଲାରେ ଘଂଟାପ୍ରତି ୪୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ସମ୍ଭାବନା

358

କନକ ବ୍ୟୁରୋ: ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଗତକାଲି ରାଜ୍ୟରେ ଖରାର ପ୍ରକୋପ ଅପେକ୍ଷାକୃତ କମିଥିଲେ ମଧ୍ୟ ୪ଟି ସହର ତାପମାତ୍ରା ୪୧ ଡିଗ୍ରି ଡେଇଁଯାଇଛି। ଏଥିସହିତ ସମୁଦାୟ ୭ଟି ସହର ତାପମାତ୍ରା ୪୦ ଡିଗ୍ରି ପାର ହୋଇଛି। ତେବେ ଆସନ୍ତା ଏକ ସପ୍ତାହ ଧରି ରାଜ୍ୟର ତାପମାତ୍ରା ଏହି ଭଳି ରହିବ ଓ ୪୨ ଡିଗ୍ରି ଅତିକ୍ରମ କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଲେଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦିନ ବେଳା ଆକାଶ ନିର୍ମଳ ରହିବ ଓ ଉପରବେଳା ଆଡ଼କୁ ବିଭିନ୍ନ ସ୍ଥାନରେ ଆକାଶକୁ ମେଘ ଘୋଟି ଆସି କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ।

ଆଜି କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହୋଇପାରେ। ସେହିପରି ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, କେନ୍ଦୁଝର ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ୧୭ ତାରିଖ ବେଳକୁ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାର କିଛି ସ୍ଥାନରେ ପବନର ବେଗ ବଢ଼ିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଏହି ଦିନ କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ୧୮ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ରାତିର ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

୧୭ରୁ ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ପୁଣି ବଢ଼ିବ। ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶା ୧୭ ତାରିଖରେ ଏବଂ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ୧୮ ତାରିଖରେ ବଢ଼ିବ। ସାରା ରାଜ୍ୟରେ ୧୯ ତାରିଖ ଆଡ଼କୁ ତାପମାତ୍ରା ବଢ଼ିଯିବ। ୨୦ ତାରିଖରେ କିଛି ସ୍ଥାନରେ ବିଶେଷ କରି ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା କମିବ ଓ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାରେ କମିବ। ଭୁବନେଶ୍ବରଠାରୁ ଯାଜପୁର ସଂଯୋଗ କରୁଥିବା ସରଳରେଖାର ପୂର୍ବରେ ଅର୍ଥାତ ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ତାପମାତ୍ରା ଅପେକ୍ଷାକୃତ କମ ରହିବ। ୧୬ ରୁ ୧୯ ତାରିଖରେ ଉପକୂଳ ଓଡ଼ିଶାର କେତେକ ଜାଗାରେ ଓ ୨୦ରୁ ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।