କନକ ବ୍ୟୁରୋ: କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା କଠୋର ଲକଡାଉନ୍ ପ୍ରଭାବରେ ଦେଶର ଯେଉଁ ଦୁର୍ବଳତା ସାମ୍ନାକୁ ଆସିଛି ତାହା ହେଉଛି ପ୍ରବାସୀ ଶ୍ରମିକ ସଙ୍କଟ। ଏଥିପାଇଁ ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରୁଛନ୍ତି। ତେବେ ଏହି ସମସ୍ୟାର ସମାଧାନ କରିବା ଲାଗି କେନ୍ଦ୍ର ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଲକଡାଉନ୍ ପ୍ରଭାବରେ ନିଜ ରାଜ୍ୟକୁ ଫେରିଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେବା ଲାଗି ଏକ ବଡ଼ ଯୋଜନା ଉପରେ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଥିପାଇଁ ଦେଶର ସେହି ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି ଯେଉଁଠାରେ ବହୁ ପରିମାଣରେ ପ୍ରବାସୀ ଶ୍ରମିକ ରହୁଛନ୍ତି।
ସୂଚନା ଅନୁଯାୟୀ, ଦେଶରେ ଯେଉଁ ୧୧୬ଟି ଜିଲ୍ଲା ଚିହ୍ନଟ କରାଯାଇଛି ସେଥି ମଧ୍ୟରୁ ଅଧିକାଂଶ ଜିଲ୍ଲା ବିହାର ଓ ଉତ୍ତରପ୍ରଦେଶରେ ରହିଛି। ତାଲିକାରେ ବିହାରର ୩୨ଟି ଓ ଉତ୍ତରପ୍ରଦେଶରେ ୩୧ଟି ଜିଲ୍ଲା ଥିବା ବେଳେ ମଧ୍ୟପ୍ରଦେଶରେ ୨୪ଟି, ରାଜସ୍ଥାନର ୨୨ଟି, ଝାଡ଼ଖଣ୍ଡରେ ତିନିଟି ଓ ଓଡ଼ିଶାର ଚାରିଟି ଜିଲ୍ଲା ରହିଛି। ନିଜ ରାଜ୍ୟକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ଓ ନିକଟରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ କାମଧନ୍ଦା ଯୋଗାଇଦେବା ଲାଗି ପ୍ରୟାସ କରାଯାଉଛି। ସେମାନଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲାଗି ଜନ ଧନ ଯୋଜନା, କିସାନ କଲ୍ୟାଣ ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ପିଏମ୍ ଆବାସ ଯୋଜନାକୁ ବ୍ୟବହାର କରାଯିବ। ଏହା କିଭଳି ସମ୍ଭବ ହେବ ସେବିଷୟରେ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ (ପିଏମଓ) ପକ୍ଷରୁ ସବୁ ମନ୍ତ୍ରଣାଳୟକୁ କୁହାଯାଇଛି।
ଦେଶରେ ଲକଡାଉନ୍ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକମାନଙ୍କ ଯେଉଁ ଭୟଙ୍କର ସ୍ଥିତି ସାମ୍ନାକୁ ଆସିଥିଲା ତାହା ସରକାରଙ୍କୁ ଅଡ଼ୁଆରେ ପକାଇଛି। ସେମାନଙ୍କୁ ଆଗୁଆ ସୂଚନା ନଦେଇ ତରବରିଆ ଭାବେ କାହିକି ଲକଡାଉନ୍ ଘୋଷଣା କରାଗଲା ବୋଲି କହି ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି। ଏହା ବ୍ୟତୀତ ଯେଉଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇଛି ତାହା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରବାସୀ ଶ୍ରମିକ ସଙ୍କଟର ସମାଧାନ ଲାଗି ମନରେଗାକୁ ବ୍ୟାପକ ଭାବେ ବ୍ୟବହାର କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ବଜେଟ୍ ବାହାରେ ଏହି ସ୍କିମ୍ ପାଇଁ ଆଉ ୪୦ ହଜାର କୋଟି ଟଙ୍କା ଦିଆଯାଇଛି। ବଜେଟରେ ୬୧ ହଜାର କୋଟି ଟଙ୍କା ଦିଆଯାଇଥିଲା। ୨୦୧୪ରେ ସଂସଦରେ ମନରେଗାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚନା କରିବା ସହ କଂଗ୍ରେସର ଏହା ସବୁଠୁ ବଡ଼ ବିଫଳତା ବୋଲି କହିଥିଲେ। ଏବେ ମନେରଗାକୁ ସରକାର ବ୍ୟବହାର କରିବାକୁ ଯାଉଥିବାରୁ କଂଗ୍ରେସର ବରିଷ୍ଠ ଅଭିଶେଷ ସାଂଘଭି କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/Gorakhpur-theprint.jpeg)