ବଢିବ ଭାରତୀୟ ସେନାର ଶକ୍ତି । ଶକ୍ତିଶାଳୀ ଏସ-୪୦୦ ମିଜାଇଲ୍ ସିଷ୍ଟମର ଆଗୁଆ ଯୋଗାଣ ପାଇଁ ରାଜି ହେଲା ଋଷିଆ ।

1,678

କନକ ବ୍ୟୁରୋ : ଚୀନ ସହ ତିକ୍ତତା ବଢୁଥିବାରୁ ଭାରତ ପାଇଁ ଏବେ ଉଭୟ ଉତ୍ତର ଓ ପଶ୍ଚିମ ପଟୁ ବିପଦର ଆଶଙ୍କା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଦୁଇବର୍ଷ ପୂର୍ବେ ଅର୍ଡର ଦିଆଯାଇଥିବା ଶକ୍ତିଶାଳୀ ଏସ-୪୦୦ ଟ୍ରିୟମ୍ପ ଏୟାର ଡିଫେନ୍ସ ସିଷ୍ଟମ୍ସର ଡେଲିଭରୀକୁ ତ୍ୱରାନ୍ଵିତ କରିବାକୁ ଭାରତ ପକ୍ଷରୁ ଗତ ସପ୍ତାହରେ ଋଷିଆକୁ କୁହାଯାଇଥିଲା । ଋଷିଆ ମଧ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଏହାର ଡେଲିଭରୀ ଦେବାକୁ ରାଜି ହୋଇଛି । ଏହା ସହିତ ଜରୁରୀକାଳୀନ ଭିତ୍ତିରେ ଅର୍ଡର ଦିଆଯାଇଥିବା ସୁଖୋଇ ଓ ମିଗ-୨୯ ବିମାନର ଯୋଗାଣ ମଧ୍ୟ ଶୀଘ୍ର କରିବାକୁ ଋଷିଆ ରାଜି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଭାରତ ପ୍ରଥମ ରେଜିମେଣ୍ଟ ଏସ-୪୦୦ ସିଷ୍ଟମ ପାଇବ । ଫଳରେ ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର ରାଜପଥରେ ଦେଶବାସୀଙ୍କ ନିକଟରେ ଏହାର ପ୍ରଦର୍ଶନ କରାଯିବାର ସମ୍ଭାବନା ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ପୂର୍ବରୁ ହିଁ ଋଷିଆଠାରୁ ଏସ-୪୦୦ ପାଇସାରିଛି ।

ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ । କିନ୍ତୁ କରୋନା ମହାମାରୀ ଯୋଗୁଁ ଡେଲିଭରୀ ବିଳମ୍ବ ହେବ ବୋଲି ଋଷିଆ ଭାରତକୁ କିଛି ମାସ ତଳେ କହିଥିଲା ।