ଗାଁରେ ମିଳିବ ୧୦ ଟଙ୍କିଆ ଏଲଇଡି ବଲ୍ବ: ୬୦ କୋଟି ବଲ୍ବ ବଣ୍ଟନ କରାଯିବ; ଉଜ୍ଜ୍ବଳା ଯୋଜନା ଅଧୀନରେ ଗ୍ରାମାଞ୍ଚଳ ଲୋକଙ୍କୁ କରାଯିବ ଉପଲବ୍ଧ

Advertisment
ଗାଁରେ ମିଳିବ ୧୦ ଟଙ୍କିଆ ଏଲଇଡି ବଲ୍ବ: ୬୦ କୋଟି ବଲ୍ବ ବଣ୍ଟନ କରାଯିବ; ଉଜ୍ଜ୍ବଳା ଯୋଜନା ଅଧୀନରେ ଗ୍ରାମାଞ୍ଚଳ ଲୋକଙ୍କୁ କରାଯିବ ଉପଲବ୍ଧ

କନକ ବ୍ୟୁରୋ: ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ (ଇଇଏସଏଲ୍) ନାମକ ସଂସ୍ଥା ଦେଶର ଗ୍ରାମାଞ୍ଚଳରେ ୧୦ ଟଙ୍କା ମୂଲ୍ୟରେ ଏଲ୍ଇଡି ବଲ୍ବ ବିକ୍ରି କରିବାକୁ ଯୋଜନା ରଖିଛି। ଏଥିପାଇଁ କଂପାନି ସରକାରୀ ସହାୟତା କିମ୍ବା ସବସିଡି ମଧ୍ୟ ଆବଶ୍ୟକ କରିବ ନାହିଁ। ପ୍ରସ୍ତାବିତ ଗ୍ରାମ ଉଜ୍ଜ୍ବଳା ଯୋଜନା ଅଧୀନରେ ଏହି ବଲଗୁଡ଼ିକୁ ଗ୍ରାମାଞ୍ଚଳରେ ଉପଲବ୍ଧ କରାଯିବ। ବର୍ତ୍ତମାନ ବିଶ୍ବର ସର୍ବବୃହତ ଗୃହ ଆଲୋକ ଯୋଜନାକୁ ଇଇଏସଏଲ୍ କାର୍ୟ୍ୟକାରୀ କରୁଛି। ଖୁବ୍ ଶୀଘ୍ର ଏହା ଗ୍ରାମ ଉଜ୍ଜ୍ବଳା ଯୋଜନାକୁ ଜାତିସଂଘର ସ୍ବଚ୍ଛ ବିକାଶ ବ୍ୟବସ୍ଥା (ସିଡିଏମ୍)ରେ ପଞ୍ଜୀକୃତ କରିବାକୁ ଯାଉଛି। ଏଥିରେ ସାମିଲ ହେଲେ କଂପାନି କାର୍ବନ କ୍ରେଡିଟ୍ ପାଇବ। ୨୦୧୪ରେ ଦେଶରେ ଏଲ୍ଇଡି ବଲ୍ବର ମୂଲ୍ୟର ୩୧୦ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା।

ଉଜ୍ଜ୍ବଳା ସ୍କିମ୍ ଜରିଆରେ ୭୦ ଟଙ୍କାରେ ଏଲଇଡି ବଲ୍ବ ବିକ୍ରି କରାଯାଇଥିଲା। ଗ୍ରାମ ଉଜ୍ଜ୍ବଳା ଯୋଜନାରେ କଂପାନି ଯେଉଁ ବଲ୍ବ ଯୋଗାଇବ ତାହାର ମୂଲ୍ୟ ପ୍ରକୃତରେ ୭୦ ଟଙ୍କା। କିନ୍ତୁ କାର୍ବନ କ୍ରେଡିଟ୍ ଜରିଆରେ କଂପାନି ଯେଉଁ ଆୟ କରିବ ସେଥିରୁ ପ୍ରତି ବଲ୍ବ ପାଇଁ ୬୦ ଟଙ୍କା ପାଇଯିବ। ଫଳରେ ଗ୍ରାହକମାନଙ୍କ ପାଇଁ ବଲ୍ବର ମୂଲ୍ୟ ୧୦ ଟଙ୍କା ହୋଇଯିବ। ଏ ସମ୍ପର୍କରେ ଇଇଏସ୍ଏଲ୍ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସୌରଭ କୁମାର କହିଛନ୍ତି, ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ୭୦ ଟଙ୍କିଆ ଏଲଇଡି ବଲ୍ବ କିଣିବା କଷ୍ଟକର। ନୂଆ ସ୍କିମରେ ଆମେ ଲୋକଙ୍କ ଘରେ ଥିବା ଇନକାଡିସେଣ୍ଟ୍ ଓ ସିଏଫ୍ଏଲ୍ ବଲ୍ବକୁ ନେଇଯିବୁ ଓ ତାହା ବଦଳରେ ୧୦ ଟଙ୍କାରେ ସେମାନଙ୍କୁ ଗୋଟିଏ ଲେଖାଏଁ ଏଲ୍ଇଡି ବଲ୍ବ ଦେବୁ। ଏକ ହିସାବରୁ ଜଣାପଡ଼ିଛି ଯେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଯୋଜନାରେ ଯେଉଁ ୩୬ କୋଟି ଏଲ୍ଇଡି ବଲ୍ବ ବଣ୍ଟନ କରାଯାଇଥିଲା ତାହାର ମାତ୍ର ୧୮% ବଲ୍ବ ଗ୍ରାମାଞ୍ଚଳରେ ପହଞ୍ଚିଛି। ତେଣୁ ନୂଆ ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦ ନିୟୁତ ଏଲ୍ଇଡି ବଲ୍ବ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪୦୦୦ କୋଟି ଟଙ୍କା ଦରକାର। ଇଇଏସ୍ଏଲ୍ କାର୍ବନ କ୍ରେଡିଟ୍ରୁ କରିବାକୁ ଥିବା ଆୟରୁ ୩୬୦୦ କୋଟି ଟଙ୍କା ଦେବ। ବଳକା ୬୦୦ କୋଟି ଟଙ୍କା ଗ୍ରାହକମାନଙ୍କ ଠାରୁ ପ୍ରତି ବଲ୍ବ ପିଛା ୧୦ ଟଙ୍କା ହିସାବରେ ଆଦାୟ କରାଯିବ। ଜାତିସଂଘର କାର୍ଯ୍ୟକ୍ରମରେ ପଞ୍ଜୀକୃତ ହେବା ମାତ୍ରେ କଂପାନି ଏହି ସ୍କିମ୍ ଆରମ୍ଭ କରିବ।

ଆମେରିକା ଓ ଚୀନ୍ ପରେ ତୃତୀୟ ସର୍ବାଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ଛାଡ଼ୁଥିବା ଦେଶ ହେଉଛି ଭାରତ। ତେଣୁ ଏହାକୁ କିଭଳି କମ୍ କରାଯାଇପାରିବ ସେଥିପ୍ରତି ସରକାର ଗୁରୁତ୍ବ ଦେଉଛନ୍ତି। ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନକୁ ୨୦୦୫ରେ ଥିବା ସ୍ତରର ୩୩-୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ସରକାର ଯୋଜନା ରଖିଛନ୍ତି। ୨୦୧୫ରେ ପ୍ୟାରିସରେ ହୋଇଥିବା ଜଳବାୟୁ ପରିବର୍ତନ ସମ୍ପର୍କିତ ସମ୍ମେଳନରେ ଭାରତ ଏହି ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe