‘କରୋନା’ ପାଇଁ ଦେଶବ୍ୟାପୀ ଜନତା କର୍ଫ୍ୟୁ: ରାତି ୯ ଟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ; ଦୋକାନ ବଜାର ବନ୍ଦ, ରାସ୍ତାରେ ଗଡୁନି ଗାଡିମୋଟର…ପୂର୍ଣ୍ଣ ସମର୍ଥନ ଦେଉଛନ୍ତି ଲୋକେ

549

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଓଡିଶାରେ ଜୋରଦାର ସମର୍ଥନ କରିଛନ୍ତି ଜନସାଧାରଣ । ରାଜଧାନୀ ଭୁବନେଶ୍ୱରରେ ଲୋକେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଲୋକେ ଘରୁ ନବାହାରି ନଜେ ବନ୍ଦୀ ରହି କରୋନାକୁ କାବୁ କରିବାକୁ ଅଂଟା ଭିଡିଛନ୍ତି । ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶୂନ ରହିଛି । ଗାଡି ମଟର ଯାତାୟତ ବନ୍ଦ ରହିଛି । ତେବେ ରାସ୍ତାରେ କିଛି ଲୋକ ବାଇକରେ ଯାଆସ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ପୋଲିସ ଅଟକାଇ ସରକାରଙ୍କ ଗାଇଡଲାଇନ ମାନି ସଚେତନ ରହିବାକୁ ବୁଝାଉଛନ୍ତି ।

ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ଜନତା କର୍ଫ୍ୟୁକୁ ଲୋକେ ପୂର୍ଣ୍ଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଯେଉଁଠି ରାତି ପାହିଲେ ହଜାର ହଜାର ଲୋକଙ୍କ ଗହଳି ଲାଗେ ସେହି ବଡଦାଣ୍ଡରେ ମୋଦିଙ୍କ ଜନତା କର୍ଫ୍ୟୁକୁ ଲୋକେ ସମର୍ଥନ ଜଣାଇ ଘରୁ ବାହାରି ନାହାଁନ୍ତି । କରୋନା ମୁକାବିଲା ପାଇଁ ଲୋକେ ସହଜରେ ଏହାକୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୂନ ଶୂନ ହୋଇପଡିଛି ।

ସେହିପରି କେନ୍ଦ୍ରାପଡାରେ ମଧ୍ୟ ଉଭୟ ଜନତା କର୍ଫ୍ୟୁ ଓ ରାଜ୍ୟ ସରକାରଙ୍କ ତାଲା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । କେହି ଘରୁ ପଦାକୁ ବାହାରୁ ନାହାଁନ୍ତି । ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସମର୍ଥନ କରିଛନ୍ତି ଜନତା ।

ଠିକ୍ ସେହିପରି ଭଦ୍ରକରେ ଜନତା କର୍ଫ୍ୟୁ ଲାଗି ସବୁ ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ , ରାସ୍ତା ଘାଟ ସବୁ ଖାଁ ଖାଁ । ଦୋକାନ ବଜାର ବନ୍ଦ। ସବୁ ଲୋକ ଘରେ । ତେବେ ଜରୁରୀକାଳୀନ ଅଫିସ୍ ଖୋଲା ରହିଛି। ଜଗତସିଂହପୁରରେ ଜନତା କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଉଛି। ସମସ୍ତ ଦୋକାନ ବଜାର ବନ୍ଦ
କରାଯାଇଛି। ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏମିତିକି ଏ ଟି ଏମ୍, ଓମଫେଡ୍ ପାର୍ଲର ବନ୍ଦ ରହିଛି। ଲୋକମାନେ ସ୍ୱତଃ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି।

ଅନ୍ୟପଟେ ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା । ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ । ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଏହି ବସ୍ ନଚଳାଇବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ସକାଳ ୭ଟାରୁ ରାତି ୯ଟା ଯାଏଁ ଏହି କଟକଣା ଲାଗୁ ରହିବ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ଏପରି ନିଷ୍ପତି ନିଆଯାଇଥିବା କହିଛିି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସେହିପରି ରବିବାର ସାରା ରାଜ୍ୟରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ ।

ସେହିପରି ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣାରୁ ବାହାରୁଥିବା ସମସ୍ତ ସୁପରଫାଷ୍ଟ ଓ ଏକ୍ରପ୍ରେସ ଟ୍ରେନକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ, ଅନୁଗୁଳ, ଗୁଣୁପୁରରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଭୋର ୪ଟାରୁ ରାତି ୧୦ ଟା ମଧ୍ୟରେ କୌଣସି ଟ୍ରେନ ଯାତ୍ରା ଆରମ୍ଭ କରିବ ନାହିଁ । ତେବେ ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ଚଳାଚଳ କରିବ । ପୂର୍ବତଟ ରେଳବାଇ ତରଫରୁ ୪୮ଟି ଏକ୍ସପ୍ରେସ ୯୩ଟି ଯାତ୍ରୀବାହୀ ଟ୍ରେନ ବାତିଲ କରାଯାଇଛି । ଜନତା କର୍ଫ୍ୟୁ ପାଇଁ ମୋଟ ୧୪୧ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳବାଇ ।