କରୋନା ମୁକାବିଲା ପାଇଁ ବାଟ ଦେଖାଇବ ଆଂଟିଜେନ୍ ଟେଷ୍ଟ: ଦୁଇ ଦିନରେ ୪ ଲକ୍ଷ କିଟ୍ ପରୀକ୍ଷା ପରେ ଆଗକୁ ସଂଖ୍ୟା ବଢାଇବା ଉପରେ ଫୋକସ୍

ଦିଲ୍ଲୀ ଫର୍ମୁଲାରେ ଅନ୍ୟ ରାଜ୍ୟରେ ବଢିବ ନମୂନା ପରୀକ୍ଷା ସଂଖ୍ୟା

118

କନକ ବ୍ୟୁରୋ: ସାରା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏପରି ସ୍ଥିତିରେ ବହୁଳ ମାତ୍ରାରେ ଆଂଟିଜେନ୍ ଟେଷ୍ଟିଂ କିଟ୍ ର ପ୍ରୟୋଗ କରୋନା ମୁକାବିଲାରେ ବଡ ଭୂମିକା ନେବ ବୋଲି କୁହାଯାଉଛି । ଗତ ଦୁଇ ଦିନ ଧରି ସାରା ଦେଶରେ ଦୈନିକ ୪ ଲକ୍ଷରୁ ଅଧିକ ସଂଖ୍ୟାରେ ନମୂନା ପରୀକ୍ଷା ହେବା ପରେ ଆକ୍ରାନ୍ତ ସଂଖ୍ୟା ବଢୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କିନ୍ତୁ କମ୍ ହୋଇଛି । ମାସକ ତଳେ ଦେଶରେ ଗୋଟିଏ ଦିନରେ ପ୍ରାୟ ଅଢେଇ ଲକ୍ଷ ନମୂନା ପରୀକ୍ଷା ହେଉଥିଲା । ହେଲେ ବର୍ତମାନ ପ୍ରତି ୪ଟି କୋଭିଡ ପରୀକ୍ଷଣ ମଧ୍ୟରୁ ଗୋଟିଏ ଆଂଟିଜେନ୍ ଟେଷ୍ଟିଂ କିଟ୍ ବ୍ୟବହାର ହେଉଛି । ସାରା ଦେଶରେ ୧୩ ଶହ ଲାବରେଟରୀରେ ଗତ ୨୪ ଘଂଟାରେ ୪ଲକ୍ଷ ୪୨ ହଜାର ୨୬୩ ଟି ପରୀକ୍ଷା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଏହା ମଧ୍ୟରୁ ପ୍ରାୟ ଏକ ଲକ୍ଷ ପରୀକ୍ଷା ଆଂଟିଜେନ୍ ଟେଷ୍ଟିଂ ଜରିଆରେ ସଂପନ୍ନ ହୋଇଛି ।

ଆସନ୍ତା ସପ୍ତାହ ଗୁଡିକରେ ଭାରତ ଏହାର ପରୀକ୍ଷଣ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ଜାନୁଆରୀ ୨୨ ତାରିଖ ଠାରୁ ବର୍ତମାନ ସୁଦ୍ଧା ଦେଶରେ ୧୦ ଲକ୍ଷ ୬୦ ହଜାର କିଟ୍ ପରୀକ୍ଷା ହୋଇଛି । ବର୍ତମାନ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ପାଇଁ ଆଂଟିଜେନ୍ ଟେଷ୍ଟ ବହୁଳ କରାଯିବ । ଗତମାସରେ ଏହାର ବହୁଳ ପରୀକ୍ଷା ଫଳରେ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସିଥିଲା  କରୋନା ସ୍ଥିତି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତେଲଙ୍ଗାନା, ଉତରପ୍ରଦେଶ, ପଂଜାବରେ ଦିଲ୍ଲୀ ଫର୍ମୁଲା ଆପଣାଇ କରୋନା ମୁକାବିଲା କରିବା ଯୋଜନା ରହିଛି । ଅଧିକ କିଟ୍ ପରୀକ୍ଷା ହେବା ପରେ ଦେଶରେ ରବିବାର ଜାତୀୟ ମୃତ୍ୟୁ ହାର ୨ ଦଶମିକ ୩୧ ପ୍ରତିଶତକୁ ଖସି ଆସିଛି । ସାରା ଦେଶରେ ଏବେ ୮ ଲକ୍ଷ ୮୫ ହଜାର ୫୭୬ ଜଣ ଚିକିତ୍ସା ପରେ ସୁସ୍ଥ ହେଲେଣି । ଫଳରେ ସୁସ୍ଥ ହାର ରହିଛି ୬୩.୯୨ ପ୍ରତିଶତ ।