ରାଜଧାନୀବାସୀଙ୍କୁ ଘର ପାଖରେ ପରିବା ପହଞ୍ଚାଇବ ବିଏମସି: ଭୁବନେଶ୍ୱରରେ ଆଜି ଖୋଲିବ ୪୪ଟି ଅସ୍ଥାୟୀ ହାଟ; ସେପଟେ ଏକ ନମ୍ବର ହାଟକୁ ଯିବା ପାଇଁ ଖୁଚୁରୀ ବେପାରୀଙ୍କୁ ମିଳିଲା ପାସ୍

ଖୁବ ଶୀଘ୍ର କମିବ ପରିବା ଦର

168

କନକ ବ୍ୟୁରୋ: ରାଜଧାନୀବାସୀଙ୍କ ପାଖରେ ପରିବା ପହଂଚାଇବାକୁ ପଦକ୍ଷେପ ନେଇଛି ଭୁବନେଶ୍ୱରର ମହାନଗର ନିଗମ । ଏଥିପାଇଁ ୪୪ଟି ନୂଆ ଅସ୍ଥାୟୀ ବଜାର ଖୋଲିବାକୁ ନିଷ୍ପତି ନେଇଛି ବିଏମସି । ଯାହା ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ । ତେବେ ପନିପରିବା କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଟ୍ୱିଟ୍ କରି ବିଏମସି ଲୋକଙ୍କୁ ଅପିଲ କରିଛି । ଲକ୍ ଡାଉନ ଯୋଗୁଁ ଲୋକେ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି । ଏପରି ସମୟରେ ରାଜଧାନୀବାସୀଙ୍କୁ ଘର ପାଖରେ ପନିପରିବା ଯୋଗାଇବା ପାଇଁ ବିଏମସି ଏପରି ପଦକ୍ଷେପ ଗ୍ରହଣ କରିଛି ।

ଭୁବନେଶ୍ୱରର ଏକ ନଂବର ହାଟକୁ ଆସିବା ପରିବା ବ୍ୟବସାୟୀମାନେ ଆସିବାକୁ ଅନୁମତି ମିଳିଛି । ତେବେ ପାସ ଦେଖାଇ ଏକ ନବର ହାଟକୁ ଆସିପାରିବେ ଖୁଚୁରା ବେପାରୀ । ଏଥିପାଇଁ ନିକଟସ୍ଥ ଥାନା ଅଧିକାରୀଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଖୁଚୁରା ବ୍ୟବସାୟୀ ପାସ ନେଇପାରିବେ । ଯେଉଁମାନେ ଥାନାରୁ ପାସ ନେଇ ପାରୁ ନାହାନ୍ତି ସେମାନେ ବ୍ୟବସାୟୀ ସଂପାଦକଙ୍କ ଠାରୁ ପାସ ନେଇପାରିବେ । ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଆହୁରି ଏକ ହଜାର ପାସ ଖୁଚୁରା ବେପାରୀଙ୍କୁ ଦିଆଯିବ ।

ସେପଟେ ପରିବା ବ୍ୟବସାୟୀ ମହାସଂଘର ସଭାପତି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୫ ଶହ ପାସ ଦିଆଯାଇଥିବା ବେଳେ ଆହୁରି ୫ଶହ ପାସ ପରିବା ବ୍ୟବସାୟୀଙ୍କୁ ଦିଆଯିବ । ରାସ୍ତାରେ ବ୍ୟବସାୟୀମାନେ ଯିବା ଆସିବା ପାଇଁ ରୋକ ଲାଗିବ ନାହିଁ ବୋଲି ସୂଚନା ଦେଇଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ସଂପାଦକ । ସେପଟେ ହାଟକୁ ଖୁଚୁରା ବେପାରୀ ଆସିପାରୁନଥିବାରୁ ଗତ ଦୁଇ ଦିନ ଧରି ପରିବା ଦର ବୃଦ୍ଧି ହୋଇଥିଲା । ଏବେ ଖୁଚୁରା ବ୍ୟବସାୟୀଙ୍କୁ ପାସ ମିଳିଥିବାରୁ ଶୀଘ୍ର ପରିବା ଦର ସାଧାରଣ ହେବ ବୋଲି କହିଛନ୍ତି ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ୱାଇଁ ।