ଆଗକୁ ଆହୁରି ବଢ଼ିବ ତାପମାତ୍ରା: ଆସନ୍ତା ୫ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା; ୧୮ ବେଳକୁ ୪୦ରୁ ୪୪ ଡିଗ୍ରି ଛୁଇଁପାରେ ପାରା

720

କନକ ବ୍ୟୁରୋ: ବଢ଼ୁଛି ରାଜ୍ୟର ତାପମାତ୍ରା। ଆଗକୁ ଆହୁରି ବଢ଼ିବ। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏବେ ତାପାମାତ୍ରାରେ ସେମିତି କିଛି ବଡ଼ ପରିବର୍ତ୍ତନ ଦେଖିଯିବନି। କିନ୍ତୁ ଏହା ପରେ ଗରମ ବଢ଼ିବ। କିଛି ସ୍ଥାନରେ ୪୦ ଡିଗ୍ରି ପାର ହେବ ତ’ କିଛି କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ଛୁଇଁବ। ପବନ ଦିଗ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, କାଳବୈଶାଖୀ ଆଉ ୫ ଦିନ ଲାଗିରହିବ। ତା’ ପରେ ଗରମ ବହୁତ ବଢ଼ିବ। ଅନୁମାନ କରାଯାଉଛି ଯେ, କାଲି ରବିବାର ଦିନ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମିବ କିମ୍ବା ଅପରିବର୍ତ୍ତିତ ରହିବ। ତେବେ ସୋମବାର ଦିନ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ପରେ କ୍ରମଶଃ କମିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ତାପମାତ୍ରା ସାମାନ୍ୟ ବଢ଼ିବ ଓ ତା’ ପରେ ୧୫ ତାରିଖ ଯାଏଁ ଅପରିବର୍ତ୍ତିତ ରହିବ। ୧୬ ତାରିଖରୁ ପବନର ଦିଗ ପରିବର୍ତ୍ତନ ହେବ। ରାଜ୍ୟକୁ ବର୍ତ୍ତମାନ ବୋହୁଥିବା ବଙ୍ଗୋପସାଗରୀୟ ପବନ ପରିବର୍ତ୍ତେ ପଶ୍ଚିମା ଗରମ ପବନ ବହିବ। ଏଣୁ କାଳବୈଶାଖୀ କମିବା ସହ ତାପମାତ୍ରା ବଢ଼ିବ। ଅନୁମାନ କରାଯାଉଛି ଯେ, ୧୮ ତାରିଖ ବେଳକୁ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ ପରେ ପୁଣି କ୍ରମଶଃ ବଢ଼ିବ।

ଅତ୍ୟଧିକ ଆର୍ଦ୍ରତା ହେତୁ ଉପକୂଳ ଅଞ୍ଚଳରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ସେଲ୍ସିୟମ୍ ଅଧିକ ଅନୁଭୂତ ହେବ। ଉତ୍ତର-ପଶ୍ଚିମାଞ୍ଚଳର କେତେଗୁଡ଼ିଏ ସ୍ଥାନରେ୧୮ ତାରିଖକୁ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ। ସେହିପରି ମାଲ୍କାନାଗିରି, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ବୌଦ୍ଧ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ଅଛି। ଆସନ୍ତାକାଲିଠାରୁ ୧୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରତ୍ୟେକ ଦିନ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ବେଳେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୧୦, ୧୧ ଓ ୧୪ ତାରିଖରେ କାଳବୈଶାଖୀ ବର୍ଷା ହୋଇପାରେ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ରାଜ୍ୟର ୯ଟି ଜିଲ୍ଲାରେ ଖୁବ୍ ଜୋରରେ ପବନ ବହିବ। ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କେନ୍ଦୁଝରରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।