ଏପ୍ରିଲ ୨୦ ପରେ ସର୍ତ୍ତମୂଳକ କଟକଣା ମୁକ୍ତ ହେବ ନିର୍ମାଣ କାର୍ଯ୍ୟ । ସତର୍କତା ପାଇଁ ଗାଇଡଲାଇନ୍ ଜାରି, ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଲେ ଏସଆରସି, ସେପଟେ ସହରାଂଚଳର ଶ୍ରମିକଙ୍କ ପାଇଁ ୧୦୦ କୋଟି ଟଙ୍କାର ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

1,155

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ିବା ପରେ ଶ୍ରମିକ ଶ୍ରେଣୀକୁ ଫୋକସ କରିଛନ୍ତି ସରକାର । ଦିନ ମଜୁରିଆଙ୍କ ରୋଜିରୋଟି ପାଇଁ କିଛି ସର୍ତ ସହ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଛନ୍ତି ସରକାର । ୧୨ ସୂତ୍ରୀ ରଣନୀତି ସହିତ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଜାରି ହୋଇଛି ଗାଇଡଲାଇନ୍ ।

ଉଭୟ ସରକାରୀ ଏବଂ ବେସରକାରୀ ନିର୍ମାଣ କାର୍ଯ୍ୟ ସମୟରେ କରୋନା ସଂକ୍ରମଣ ରୋକିବା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ଏହାକୁ ମାନି ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ ଅନୁସାରେ
– ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ ଶ୍ରମିକ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରିବେ
– ନିର୍ମାଣ ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ମାସ୍କ ପିନ୍ଧିବା ଜରୁରୀ
– ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ଠିକାଦାର ବା ନିର୍ମାଣ ସଂସ୍ଥା ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ
– କାମ କରିବା ଜାଗା, ଶୋଇବା ଘର ଏବଂ ଭୋଜନ କରିବା ଜାଗାରେ ସାମାଜିକ ଦୂରତା ନିୟମ ମାନିବେ
– ଶ୍ରମିକମାନେ ଏକାଠି ବସିବା ବା ନିକଟତର ହେବାକୁ ଅନୁମତି ଦିଆଯିବ ନାହିଁ
– କାର୍ଯ୍ୟସ୍ଥଳରେ ବାଲଟି, ମଗ୍, ସାବୁନ୍, ଓ ଟାୱେଲ ରଖିବେ ନିର୍ମାଣ ସଂସ୍ଥା
– କୋଭିଡ-୧୯ ରୋକିବା ପାଇଁ କଣ କରିବେ , କଣ ନକରିବେ ତାହାର ଏକ ଡିସପ୍ଲେ ବୋର୍ଡ ଲଗାଇବେ
– ତେବେ ନିିର୍ମାଣ କାର୍ଯ୍ୟ ଚାଲିବା ସମୟରେ ଗୁଟଖା, ତମାଖୁ ଖାଇବା ଓ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି

ସେହିପରି କୌଣସି ଅସୁସ୍ଥ , ବୃଦ୍ଧ ଏବଂ ଥଣ୍ଡା, କାଶ, ଛିଙ୍କ ବା ଫ୍ଲୁର ଲକ୍ଷଣ ଥିବା ଲୋକଙ୍କୁ କାମ କାମ ନଦେବାକୁ କୁହାଯାଇଛି । ଏବଂ ଶ୍ରମିକଙ୍କ ନିକଟରେ ଏଭଳି କୌଣସି ଲକ୍ଷଣ ଦେଖାଦେଲେ ନିର୍ମାଣକାରୀ ସଂସ୍ଥା ସ୍ୱାସ୍ଥ୍ୟକେନ୍ଦ୍ରର ପରାମର୍ଶ କରାଇବା ପାଇଁ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଛି ।

ଦେଶରେ ତଥା ରାଜ୍ୟରେ ଶ୍ରମିକଙ୍କ ସାଂଘାତିକ ସ୍ଥିତି ନେଇ ବାରମ୍ବାର ରିପୋର୍ଟ
ଆସିବା ପରେ ଉଭୟ ଜୀବନ ଓ ଜୀବିକା ଉପରେ କେନ୍ଦ୍ର ଓ ରାଜ୍ୟ ଗୁରୁତ୍ୱ ଦେଇ ଆସୁଛନ୍ତି । ପୂର୍ବରୁ କେବଳ ସରକାରୀ କ୍ଷେତ୍ରରେ କଟକଣା ଯୁକ୍ତ କାର୍ଯ୍ୟ ପାଇଁ ଅନୁମତିଥିବାବେଳେ ଏବେ ବେସରକାରୀ ନିର୍ମାଣ କ୍ଷେତ୍ରରେ ଅନୁମତି ପ୍ରଦାନ କରି ଏକ ବଡ ଧରଣର ଆହ୍ୱାନକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା କରାଯାଉଛି ।