କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ସାରା ବିଶ୍ୱ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିଛି । ଆଉ ଏହି ଦୌଡରେ ଭାରତ ମଧ୍ୟ ସାମିଲ ହୋଇଛି । ଭାରତର ୮ଟି ସହରର ୧୪ଟି ସଂସ୍ଥା ବର୍ତମାନ କରୋନା ଟିକା ବିକଶିତ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି । ଆଉ ଆଶା କରାଯାଉଛି ଭାରତ ଶୀଘ୍ର ହିଁ କରୋନା ଟିକା ଉଦ୍ଭାବନ କରିଦେବ ।
କୋଭିଡ-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଭାରତର ୧୪ଟି ଅଗ୍ରଣୀ ସଂସ୍ଥା ବର୍ତମାନ କାମ କରୁଛନ୍ତି । ସରକାରଙ୍କ ସହଯୋଗରେ ୮ଟି ସହରର ୧୪ଟି ସଂସ୍ଥା କରୋନା ଟିକା ବିକାଶ କରିବା ପାଇଁ ଲାଗିଛନ୍ତି । ଏମାନଙ୍କ ଭିତରୁ ଗୋଟିଏ ପ୍ରୋଜେକ୍ଟ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସଫଳ ହୋଇଛି ଯାହାର ପରୀକ୍ଷଣ ଖୁବଶୀଘ୍ର କରାଯିବ ବୋଲି ତଥ୍ୟ ମିଳିଛି । ସେହିପରି ଅନ୍ୟ ୪ଟି ପ୍ରୋଜେକ୍ଟ ବର୍ତମାନ ଭ୍ୟାକ୍ସିନ ପ୍ରସ୍ତୁତିର ଆଡଭାନ୍ସ ଷ୍ଟେଜରେ ପହଁଚି ସାରିଛି । କିଛି ବେସରକାରୀ ସଂସ୍ଥା ସହ ସରକାରୀ ଅନୁଷ୍ଠାନ ମିଶି କୋଭିଡ୍-୧୯ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତି ।
ଭ୍ୟାକ୍ସିନ୍ ସନ୍ଧାନରେ ଲାଗିଥିବା ଏହି ୧୪ଟି ସଂସ୍ଥା ହେଉଛନ୍ତି –
ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ - ପୁଣେ
କାଡିଲା ହେଲ୍ଥକେୟାର - ଅହମ୍ମଦାବାଦ୍
ଭାରତ ବାଓଟେକ୍ - ହାଇଦ୍ରାବାଦ୍
ଜେନୋଭା - ପୁଣେ
ସିଏମସି ଭେଲୋର - ଭେଲୋର
ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜି - ନୂଆଦିଲ୍ଲୀ
ଆଇଆଇଟି-ଇନ୍ଦୋର - ଇନ୍ଦୋର
ଏନଜିନ୍ ବାଓସାଇନ୍ସେସ - ପୁଣେ
ଆଇଆଇସିଟି-ହାଇଦ୍ରାବାଦ୍ - ହାଇଦ୍ରାବାଦ୍
ଅରୋବିନ୍ଦୋ ଫାର୍ମା - ହାଇଦ୍ରାବାଦ୍
ସିଗୁଲ ବାଇଓ-ସଲ୍ୟୁସନ୍ - ପୁଣେ
ଆଇଆଇଏସଇଆର-ମୋହାଲି - ମୋହାଲି
ଆଇଆଇଏସଇଆର-ତ୍ରିବେନ୍ଦ୍ରମ୍ - ତ୍ରିବେନ୍ଦ୍ରମ
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଭ୍ୟାକ୍ସିନ୍ ପ୍ରସ୍ତୁତି ଏବେ ଭାରତ ଫୁଲ ଦମ୍ରେ ଲାଗିଛି । ଏନେଇ ସୂଚନା ଦେଇଛି ଡିପାର୍ଟମେଂଟ୍ ଅଫ୍ ବାଓଟେକ୍ନୋଲୋଜି ଏବଂ ଡିପାର୍ଟମେଂଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ କରୋନା ଟିକା ବିକଶିତ ପାଇଁ ଶହେ କୋଟି ଟଙ୍କାର ମଧ୍ୟ ଘୋଷଣା କରାଯାଇଛି । ସୂଚନା ଯୋଗ୍ୟ ଭାରତକୁ ଟିକା ପ୍ରସ୍ତୁତ ଏବଂ ବିକଶିତ କରିବାର ପେଣ୍ଠସ୍ଥଳୀ ବୋଲି କୁହାଯାଏ । ପୂର୍ବରୁ ଭିନ୍ନ ଭିନ୍ନ ରୋଗ ପାଇଁ ଟିକା ପ୍ରସ୍ତୁତ କରି ପାଖାପାଖି ୧୫୦ଟି ଦେଶକୁ ପଠାଉଛି ଭାରତ । ଆଉ ଏବେ କରୋନା ପାଇଁ ମଧ୍ୟ ଟିକା ପ୍ରସ୍ତୁତ କରିବାରେ ଭାରତକୁ ସଫଳତା ମିଳିବ ବୋଲି ଆଶା କରାଯାଉଛି ।