ତେଲେଙ୍ଗାନାରୁ ଫେରିବା ବେଳେ ବାଟରେ ଟଳିପଡିଲେ ୧୨ ବର୍ଷର ନାବାଳିକା: ତାଲାବନ୍ଦ ଯୋଗୁଁ ୧୫୦ କିଲୋମିଟର ଚାଲି ଚାଲି ଆସୁଥିଲେ ଭିଟାମାଟି ଛତିଶଗଡ

ଲକଡାଉନ ପାଇଁ ଫସି ରହିଥିଲେ ତେଲେଙ୍ଗାନାର କହ୍ନାଇଗୁଡାରେ

868

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇଥିବା ୧୨ ବର୍ଷର ଜଣେ ନାବାଳିକା ତାଲାବନ୍ଦ ଯୋଗୁଁ ତେଲେଙ୍ଗାନାରେ ଫସିଯାଇଥିଲେ । କାମଧନ୍ଦା ହରାଇବା ପରେ ସେ ଅନ୍ୟ ୧୦ ଶ୍ରମିକଙ୍କ ସହିତ ନିଜ ଘର ଛତିଶଗଡକୁ ଚାଲି ଚାଲି ଫେରୁଥିଲେ ତେବେ ୩ ଦିନ ଧରି ୧୫୦ କିଲୋମିଟର ଚାଲିବା ପରେ ବାଟରେ ହିଁ ଟଳିପଡିଛନ୍ତି । ଛତିଶଗଡ ବିଜାପୁର ଜିଲ୍ଲାରୁ ଆସିଛି ଏଭଳି ଉଦବେଗଜନକ ଖବର । ଏହି ଜିଲ୍ଲାର ଜମେଲା ମକଦମ୍ ନିଜ ଗାଁର ଲୋକଙ୍କ ସହ ପେଟପାଟଣା ପାଇଁ ତେଲେଙ୍ଗାନା ଯାଇଥିଲେ । ସେଠାରେ କନ୍ନାଇଗୁଡା ଗାଁର ସମସ୍ତେ ରହି ଲଙ୍କାକ୍ଷେତରେ କାମ କରୁଥିଲେ ।

ତେବେ ତାଲାବନ୍ଦ ହେବା ପରେ ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା । ଗତ ୧୫ ତାରିଖରେ ଚାଲି ଚାଲି ସମସ୍ତେ ତେଲେଙ୍ଗାନା କନ୍ନାଇଗୁଡାରୁ ବାହାରିଥିଲେ । ଲୋକଙ୍କ ସହ ଜାମେଲା ବି ଚାଲି ଚାଲି ଘରକୁ ବାହାରିଥିଲେ । ୩ ଦିନ ଚାଲିବା ପରେ ବିଜାପୁରର ଭଣ୍ଡାରପାଳ ଗାଁରେ ଜମେଲା ଅସୁସ୍ଥ ହୋଇପଡିଥିଲେ । ସେଠାରୁ ନିଜ ଗାଁ ଥିଲା ଆଉ ମାତ୍ର ୫୦ କିଲୋମିଟର ଥିଲା । ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଭୀଷଣ କ୍ଲାନ୍ତ ଓ ଶରୀରରେ ଜଳଶୂନ୍ୟତା ହେତୁ ଜାମେଲା ମକଦମ୍ ଅବଶ ହୋଇପଡିଥିବା ଜଣାଯାଇଛି ।