ବିଶ୍ବବ୍ୟାପୀ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ଛୁଇଁଲା: ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଲା, ବ୍ରିଟେନ୍‌ରେ ଦିନକରେ ୭୧୭ ମୃତ

ଆମେରିକାରେ ପୁଣି ୨୪ ଘଣ୍ଟାରେ ୧୫୦୯ ଲୋକଙ୍କ ମୃତ୍ୟୁ

243

କନକ ବ୍ୟୁରୋ: ବିଶ୍ବବ୍ୟାପୀ କରୋନା ଭାଇରସର ପ୍ରକୋପ ଲଗାତାର ବଢ଼ିଚାଲିଛି। ଗତକାଲି ସଂଧ୍ୟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ଅତିକ୍ରମ କରିଯାଇଛି। ଆମେରିକାରେ ପୁଣି ୨୪ ଘଣ୍ଟା ମଧ୍ୟରେ ୧୫୦୯ ଲୋକଙ୍କ ମୃତ୍ୟୁକୁ ନେଇ ହାହାକାର ସୃଷ୍ଟି ହୋଇଛି। ବ୍ରିଟେନରେ ଦିନକରେ ୭୧୭ ଜଣ ଏବଂ ଫ୍ରାନ୍ସରେ ୫୭୪ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୧୫ ହଜାରରେ ପହଞ୍ଚିଯାଇଥିବା ବେଳେ ବିଶ୍ବର ସର୍ବାଧିକ କରୋନା ମୃତ୍ୟୁ ଆମେରିକାରେ ହୋଇଛି। ଆମେରିକାର ମୃତ୍ୟୁ ସଂଖ୍ୟା ୨୩ ହଜାର ୮ ଶହ ଅତିକ୍ରମ କରିଯାଇଛି। ସ୍ପେନରେ ମୃତ୍ୟୁ ସଂଖ୍ୟା ୧୮ ହଜାର ଅତିକ୍ରମ କରିଥିବା ବେଳେ ଇଟାଲିରେ ୧୦ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଜର୍ମାନୀରେ ୩ ହଜାର ୨ ଶହ ଲୋକ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି। ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ଅତିକ୍ରମ କରିଥବା ବେଳେ ମୃତ୍ୟୁ ସଂଖ୍ୟା ୧୧ ହଜାର ୩ ଶହରେ ରହିଛି।

ଦକ୍ଷିଣ କୋରିଆରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଆଉ ୧୧୬ ଜଣଙ୍କ ରିପୋର୍ଟ ପୁଣି ପଜିଟିଭ୍ ଆସିଛି। ଏହାପରେ ସମସ୍ତ ସୁସ୍ଥ ଲୋକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ଜାତିସଂଘ ମହାସଚିବ କହିଛନ୍ତି ଯେ ଜାତିସଂଘ କର୍ମଚାରୀଙ୍କ ମଧ୍ୟରୁ ମଧ୍ୟରୁ ଏ ପର୍ୟ୍ୟନ୍ତ ୧୮୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକାରେ କରୋନା ଯୋଗୁଁ ୯୫ ପ୍ରତିଶତ ଲୋକ ପ୍ରଭାବିତ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବାକୁ ଯାଉଛି। ଅନ୍ୟପକ୍ଷରେ ଟ୍ରମ୍ପ୍ କହିଛନ୍ତି ଯେ ଦେଶରେ ଲକ୍ଡାଉନ୍ ହଟାଇବା ପାଇଁ ଏବେ ଯୋଜନା ହେଉଛି ଏବଂ ପରିସ୍ଥିତିକୁ ଦେଖି ତାରିଖ ଘୋଷଣା କରାଯିବ। ଚୀନରେ ଏବେ ୧୪୬୪ ଜଣ ବିଦେଶୀ ନାଗରିକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Comments are closed.