କିରାସିନି ଠାରୁ ଶସ୍ତା ହେଲା ବିମାନ ଇନ୍ଧନ ଦାମ: ପେଟ୍ରୋଲ୍ ଓ ଡିଜେଲ୍ ଠାରୁ ମଧ୍ୟ ବହୁତ ଶସ୍ତା ହୋଇଛି ବିମାନ ଇନ୍ଧନ

1,107

କନକ ବ୍ୟୁରୋ: ଦେଶରେ ବିମାନ ଇନ୍ଧନ ଦାମରେ ୨୩ ପ୍ରତିଶତ ହ୍ରାସ ଘୋଷଣା କରାଯିବା ପରେ ଏହା କିରାସିନି ଠାରୁ ଶସ୍ତା ହୋଇଯାଇଛି। ଏକ ଲିଟର କିରାସିନିର ବଜାର ମୂଲ୍ୟ ୩୯ ଟଙ୍କା ୬୭ ପଇସା ଥିବା ବେଳେ ବିମାନର ଇନ୍ଧନର ଲିଟର ପିଛା ଦାମ୍ ୨୨ ଟଙ୍କା ୫୪ ପଇସାକୁ ହ୍ରାସ ପାଇଛି। ପେଟ୍ରୋଲ୍ ଓ ଡିଜେଲ୍ ଠାରୁ ମଧ୍ୟ ବିମାନ ଇନ୍ଧନ ବହୁତ ଶସ୍ତା ହୋଇଛି। ଏକ ଲିଟର ପେଟ୍ରୋଲ୍ର ମୂଲ୍ୟ ଦିଲ୍ଲୀରେ ୬୯ ଟଙ୍କା ୫୯ ପଇସା ରହିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ରେ ତିନି ଲିଟରରୁ ଅଧିକ ବିମାନ ଇନ୍ଧନ କିଣିହେବ।

ବିମାନରେ ବ୍ୟବହାର କରାଯାଉଥିବା ଆଭିଏସନ ଟରବାଇନ୍ ଫୁଏଲ୍ (ଏଟିଏଫ୍) ମୂଲ୍ୟରେ ୨୩.୨ ପ୍ରତିଶତ ହ୍ରାସ କରାଯିବା ପରେ ଏହାର ମୂଲ୍ୟ କିଲୋଲିଟର ପିଛା ୬୮୧୨ ଟଙ୍କା ହ୍ରାସ ପାଇ ୨୨,୫୪୪ ଟଙ୍କା ୭୫ ପଇସା ହୋଇଯାଇଛି। ଏକ କିଲୋଲିଟର ଏକ ହଜାର ଲିଟର ସହ ସମାନ। ସେହି ଅନୁସାରେ ଏକ ଲିଟର ଏଟିଏଫ୍ ଦାମ୍ ୨୨ ଟଙ୍କା ୫୪ ପଇସା ହୋଇଛି। ଗତ ଫେବ୍ରୁଆରି ପରଠାରୁ ଏଟିଏଫ୍ ଦାମ୍ ଛଅ ଥର ହ୍ରାସ ପାଇଛି। ଫେବ୍ରୁଆରି ପୂର୍ବରୁ ଏଟିଏଫ୍ର କିଲୋଲିଟର ପିଛା ଦର ୬୪ ହଜାର ୩୨୩ ଟଙ୍କା ଥିଲା। ଏବେ ସେହି ଦାମ୍ରେ ପ୍ରାୟ ଦୁଇ ତୃତୀୟାଂଶର ହ୍ରାସ ଘଟିଛି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ଘଟିଥିବା ବଡ଼ ଧରଣର ହ୍ରାସ ଯୋଗୁଁ ଏଟିଏଫ୍ ଦାମ୍ରେ ଏଭଳି ବଡ଼ ଧରଣର ହ୍ରାସ ହୋଇଛି। ମାତ୍ର ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ବିଗତ ୫୦ ଦିନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ମାର୍ଚ୍ଚ ୧୬ ପରଠାରୁ ଏହି ଦୁଇ ଇନ୍ଧନର ଦର ଅପରିବର୍ତ୍ତିତ ରହିଛି। ନିୟମ ଅନୁସାରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ତୈଳ କଂପାନିଗୁଡ଼ିକ ଦୈନିକ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ସଂଶୋଧନ କରିବା କଥା। ଏହି ଦୁଇ ଇନ୍ଧନ ଦାମ୍ କମିନଥିବା ବେଳେ କିରାସିନିର ଲିଟର ପିଛା ଦାମ୍ ୧୩.୩ ପ୍ରତିଶତ ହ୍ରାସ ପାଇ ୩୯ ଟଙ୍କା ୬୭ ପଇସା ହୋଇଛି।