ନିଖୋଜ ଯବାନ ମାଓବାଦୀଙ୍କ କବଜାରେ ଥିବା ଘଟଣା : ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବ କହିଲେ ବସ୍ତର ଆଇଜି

ସେପଟେ ଶାହାଙ୍କ ବିଜାପୁର ଗସ୍ତ ପରେ ଆସିଲା ମାଓବାଦୀଙ୍କ ବିବୃତି ; ସୁରକ୍ଷାକର୍ମୀଙ୍କ ଗୁଳିରେ ମରିଛନ୍ତି ୨୮ ମାଓବାଦୀ

153

କନକ ବ୍ୟୁରୋ : ଛତିଶଗଡରେ ନକ୍ସଲ ଆକ୍ରମଣ ପରେ ନିଖୋଜ ଯବାନଙ୍କ ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ୍ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ । ଏହା ସତ ହୋଇଥାଇ ପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆର୍ପିଏଫ୍ ଯବାନ ରାକେଶୋର ସିଂ ମନହସଙ୍କ ପତା ମିଳୁନାହିଁ ।

ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ୍ ଟିମ୍, ସହିଦ ଯବାନଙ୍କ ୨୦ଟି ମୃତଦେହ ଉଦ୍ଧାର କରିଛନ୍ତି । ପୂର୍ବରୁ ୨ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ହସ୍ପିଟାଲରେ ୩୧ ଜଣ ଆହତ ଯବାନଙ୍କ ଚିକିତ୍ସା ଚାଲିଛି । ତେଣୁ ନିଖୋଜ ଯବାନଙ୍କୁ ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ।

ସେପଟେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଗସ୍ତ ପରେ ଏକ ପ୍ରେସ ବିବୃତି ଜାରି କରିଛି ସିପିଆଇ ମାଓଇଷ୍ଟ ସଂଗଠନ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନିନ୍ଦା କରାଯାଇଛି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏପରିକି ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯିବ ବୋଲି ସଂକେତ ଦେଇଥିଲେ ।

ତେବେ ଏହାକୁ ନିନ୍ଦା କରିବା ସହ ଯବାନଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନର୍ଥ ବ୍ଲକକୁ ଦାୟୀ କରିଛି ସିପିଆଇ ମାଓବାଦୀ ସଂଗଠନ । ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେମାନଙ୍କ ଲଢେଇ ସରକାରଙ୍କ ବିରୋଧରେ, ସୁରକ୍ଷା କର୍ମୀଙ୍କ ବିରୋଧରେ ନୁହେଁ ବୋଲି କୁହାଯାଇଛି । ବ୍ୟବସ୍ଥା ବିରୋଧରେ ଲଢେଇରେ ଗତ ୪ ମାସରେ ଦେଶର ବିଭିନ୍ନ ଭାଗରେ ୨୮ ଜଣ ମାଓବାଦୀଙ୍କ ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ଏହି ପ୍ରେସ ବିବୃତିରେ କହିଛି ସିପିଆଇ ମାଓବାସୀ ସଂଗଠନ ।