କନକ ବ୍ୟୁରୋ : ଚିଲିକାର ନଙ୍ଗାନାଶୀ ମୁହାଣରେ ଶନିବାର ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏହାକୁ ସି ପ୍ଲେନ୍ ବୋଲି ଅଭିହିତ କରୁଛନ୍ତି ଓ ତାର ଗର୍ଜନରେ ଭୟଭୀତ ହୋଇପଡିଛନ୍ତି। ହେଲେ ଏହା କେଉଁ ବିମାନ ଥିଲା, କାହିଁକି ସେଠାରେ ରହିଲା, କିଏ ଅବତରଣ କଲା ଏ ନେଇ କେହି କିଛି ଜାଣିପାରୁନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଶେଷଜ୍ଞମାନେ ଗମ୍ଭୀରତାର ସହିତ ଗ୍ରହଣ କରୁଛନ୍ତି। ଏହାକୁ ଉଦାହରଣ ଭାବେ ନେଲେ, ଆମ ସୁରକ୍ଷା ବ୍ୟବସ୍ଥା କେଉଁଠି ପହଞ୍ଚିଲାଣି, ତାହା ବେଶ୍ ଅନୁମେୟ। କାରଣ ସ୍ଥାନୀୟ ଅରଖକୁଦାରେ ସାମୁଦ୍ରିକ ଥାନା ରହିଛି। ତଟ ଜଗିବା ସେମାନଙ୍କର କାମ। ସେମାନେ ଟେର୍ ପାଇଲେନି। ସ୍ଥାନୀୟ ପୁଲିସ ଜାଣିପାରିଲା ନାହିଁ। ଚିଲିକା ଉନ୍ନୟନ କର୍ତୃପକ୍ଷକୁ ମଧ୍ୟ ଜଣାନାହିଁ।
ଏବେ ପ୍ରସଙ୍ଗଟି ବିବାଦୀୟ ହେବାକୁ ଯାଉଥିବାରୁ ସମସ୍ତେ ଆତ୍ମରକ୍ଷା ଉଦ୍ୟମ ଆରମ୍ଭ କରିଛନ୍ତି। ପୁଲିସ ମୁହଁ ଖୋଲୁନି। ଚିଲିକା ଉନ୍ନୟନ କର୍ତୃପକ୍ଷ ସି ପ୍ଲେନ୍ ଯାଞ୍ଚ ହେବ ବୋଲି କହି ଦାୟିତ୍ୱ ଠେଲିବାକୁ ଉଦ୍ୟମ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚିଲିକାର ନଙ୍ଗାନାଶୀ ମୁହାଣରେ ଶନିବାର ମଧ୍ୟାହ୍ନରେ ଏକ ବିମାନ ଅବତରଣ କରିବା ସହ ପ୍ରାୟ ୧୫ମିନିଟ ରହି ଚାଲି ଯାଇଥିଲା। ଚିଲିକାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏହାକୁ ଏକ ସି-ପ୍ଲେନ୍ ସୂଚାଇଥିଲେ। ଏହା କେଉଁ ବିମାନ ଥିଲା, କିଏ ଅବତରଣ କରାଇଥିଲା, କାହିଁକି ଏଠାରେ ଅବତରଣ କରିଥିଲା ସେ ନେଇ ରାଜ୍ୟ ସରକାରଙ୍କ ପାଖରେ ସୂଚନା ନାହିଁ। ଅନ୍ୟପକ୍ଷରେ ଚିଲିକା ଉପରେ ବିମାନ ଚକ୍କର କାଟିବା ସହ ମୁହାଣରେ ଅବତରଣ କରିବା ସ୍ଥାନୀୟ ଅଞ୍ଚଳ ପାଇଁ ନୂଆ ଘଟଣା ହୋଇଥିବାରୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ବିମାନ ଅବତରଣ କରିଥିବା କହୁଛନ୍ତି ସେମାନେ ଏହାର କୌଣସି ଫଟୋ କି ଭିଡ଼ିଓ ଦେଖାଇ ପାରୁନାହାନ୍ତି। ସି-ପ୍ଲେନ୍ ଅବତରଣ ପାଇଁ ଆମ ଠାରୁ ବି କେହି ଅନୁମତି ନେଇନାହାନ୍ତି। କୌଣସି ପ୍ରମାଣ ନଥିବାରୁ ଆମେ ସି-ପ୍ଲେନ୍ ଅବତରଣ କରିଥିବା କହିପାରିବାନି।
ଲୋକଙ୍କୁ ପଚରାଉଚରା କରିବାରୁ ସେମାନେ ଯାହା କହୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ, କୋଷ୍ଟଗାର୍ଡର ବିମାନ ନିରୀକ୍ଷଣ ପାଇଁ ଏଠାକୁ ଆସିଛି। ଏହି ବିମାନଟି ବହୁତ ତଳେ ଉଡ଼ିକି ଯାଇଥିବାରୁ ଅଧିକ ଶବ୍ଦ କରିଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି। କୋଷ୍ଟଗାର୍ଡ ବିମାନ ଏହି ଅଞ୍ଚଳରେ ଅବତରଣ କରିବା ପାଇଁ କୌଣସି ସ୍ଥାନ ନଥିବାରୁ ବିମାନଟି ଅବତରଣ କରିନାହିଁ ବୋଲି ଆମେ ନିଶ୍ଚିତ। ତଥାପି ବି କେଉଁ ବିମାନ ଆସିଥିଲା, କାହିଁକି ଆସିଥିଲା ସେନେଇ ଆମେ ଯାଞ୍ଚ କରୁଛୁ ବୋଲି ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/sea.jpg)