ଉପକୂଳ ସୁରକ୍ଷା ପାଇଁ ପାରାଦ୍ୱୀପରେ ସମରାଭ୍ୟାସ ଆରମ୍ଭ : ଜଳପଥ ଦେଇ ବାହ୍ୟ ଶତ୍ରୁ ପ୍ରବେଶକୁ ପ୍ରତିହତ କରିବା ଲକ୍ଷ୍ୟ

56

କନକ ବ୍ୟୁରୋ : ଉପକୂଳ ସୁରକ୍ଷା ପାଇଁ ପାରାଦୀପରେ ଆରମ୍ଭ ହେଲା ଦୁଇ ଦିନିଆ ସମରାଭ୍ୟାସ । ସକାଳ ୬ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସଂଧ୍ୟା ଯାଏଁ ଚାଲିବ । ଏହି ସମରାଭ୍ୟାସରେ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଓଡ଼ିଶା ପୋଲିସ୍, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ ଟିମ୍ ମିଶି ଏହି ଅଭ୍ୟାସ କରୁଛନ୍ତି । ଅନୁପ୍ରବେଶକାରୀଙ୍କୁ କିପରି ରୋକାଯାଇବ, ଏନେଇ ମକ୍ ଡ୍ରିଲ କରାଯାଇଛି । ବ୍ଲୁ ଟିମ୍ ଓ ରେଡ୍ ଟିମ୍ ନାଁରେ ଦୁଇଟି ଟିମ୍ ଗଠନ କରାଯାଇଛି ।

ମକ୍ ଡ୍ରିଲ୍ ବେଳେ ରେଡ୍ ଟିମ୍ ଛଦ୍ମବେଶୀ ଅନୁପ୍ରବେଶକାରୀ ହୋଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ରୋକିବା ଦାୟିତ୍ୱ ବ୍ଲୁ ଟମ୍ର ରହିଛି । କିପରି ଉପକୂଳ ସୁରକ୍ଷାକୁ ସୁଦୃଢ଼ ଓ ମଜବୁତ କରାଯିବ, ଏଥିପାଇଁ ଏହି ସମରାଭ୍ୟାସ କରାଯାଉଛି । ଏଥିରେ ୨୦ ଜଣ ପୋଲିସ୍ ଅଧିକାରୀ, ଚାରି ପ୍ଲାଟୁନ ଫୋର୍ସ ଓ ୪୫ ଜଣ ପୋଲିସ୍ କନେଷ୍ଟବଳ ନିୟୋଜିତ ହୋଇଛନ୍ତି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତିବର୍ଷ ଏପରି ସମରାଭ୍ୟାସ କରାଯାଉଛି ।