୪୦ କୋଟି ବର୍ଷ ତଳେ କୁକୁର ଭଳି ବଡ ଦିଶୁଥିଲେ କଙ୍କଡା ବିଛା । ପଢନ୍ତୁ, କିଏ ଦେଲା ଏମିତି ତଥ୍ୟ…

212

କନକ ବ୍ୟୁରୋ: ସାଧାରଣ ଭାବରେ ଗୋଟିଏ କଙ୍କଡା ବିଛାର ଆକାର କେତେ ବଡ ହୋଇଥାଏ? ଏହି ପ୍ରଶ୍ନର ଉତ୍ତର ଯେ କେହି ବି ଅତି ସହଜରେ ଦେଇପାରିବ । ହେଲେ ଗୋଟିଏ କଙ୍କଡା ବିଛା, ଗୋଟିଏ କୁକୁରର ଆକାର ସହ ସମାନ ବୋଲି ଯଦି କେହି ଆପଣଙ୍କୁ କୁହେ, ତେବେ ବହୁତ କମ୍ ଲୋକ ଏହାକୁ ବିଶ୍ୱାସ କରିବେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବହୁ ବର୍ଷ ପୂର୍ବେ ସତରେ କୁକୁର ଆକାରର କଙ୍କଡା ବିଛା ଏହି ପୃଥିବୀରେ ବାସ କରୁଥିଲେ ।

ଚୀନର ନାନଜିଙ୍ଗ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓଲୋଜି କିଛି ତଳେ ଏକ ଜୀବାଶ୍ମକୁ ଖୋଜି ପାଇଥିଲା । ଯାହାକି ଗୋଟିଏ କଙ୍କଡା ବିଛାର ଥିଲା । ହେଲେ ଏହାର ଆକାର ସାଧାରଣ କଙ୍କଡା ବିଛାର ୧୬ ଗୁଣା ଅଧିକ ଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କୁହାଯାଉଛି ଏହି ଜୀବାଶ୍ମ ୪୦ କୋଟି ବର୍ଷ ତଳର ଅଟେ । ସେତେବେଳେ ଗଭୀର ସମୁଦ୍ରରେ ଏହି ବିରଳ ପ୍ରଜାତିର କଙ୍କଡା ବିଛା ବାସ କରୁଥିଲେ ।

ଆଜିକାଲିର କଙ୍କଡା ବିଛାର ପରି ସେହି କୁକୁର ଆକାରର କଙ୍କଡା ବିଛାଙ୍କର ମଧ୍ୟ ଦୁଇଟି ସୁଣ୍ଢ ଏବଂ ଗୋଟିଏ ଲାଞ୍ଜ ରହିଥିଲା । ସେମାନଙ୍କର ଗୋଟିଏ ଖାସ୍ କଥା ଥିଲା, ସେମାନଙ୍କର ସୁଣ୍ଢରେ ହିଁ ସେମାନେ ଶିକାର କରୁଥିଲେ । ତା ସହିତ ଲାଞ୍ଜ ମାରି କାହାକୁ ବି ମୃତ୍ୟୁ ମୁଖରେ ପକାଇ ପାରୁଥିଲେ । ତେବେ ମିଳିଥିବା ଏହି ଜୀବାଶ୍ମର ଅଧ୍ୟୟନ ପରେ ଜଣାପଡିଛି ଯେ, ଏହି କଙ୍କଡା ବିଛାଙ୍କର ଚାରୋଟି ପ୍ରଜାତି ରହିଥିଲେ ।

ବୈଜ୍ଞାନିକମାନଙ୍କର ସୂଚନା ମୁତାବକ, ଦୀର୍ଘ ୪୪.୩୮ କୋଟି ବର୍ଷରୁ ୪୧.୯୨ କୋଟି ବର୍ଷ ଭିତରେ ଏହି କଙ୍କଡା ବିଛା ପୃଥିବୀ ପୃଷ୍ଠରେ ବାସ କରୁଥିଲେ । ସେମାନେ ଗଭୀର ସମୁଦ୍ରରେ ବାସ କରିବା ସହିତ ସେଠାରେ ଶିକାର କରି ନିଜର ଜୀବନ କାଟୁଥିଲେ । ତେବେ ସେମାନଙ୍କର ପ୍ରମୁଖ ଶିକାର ମାଛ ଥିଲା ବୋଲି ଜଣାପଡିଛି । ସେମାନଙ୍କୁ ଖାଇ ସେମାନେ ନିଜର ଜୀବନ ବଞ୍ଚାଉଥିଲେ । ଏକ ପୁରୁଣା ତଥ୍ୟରୁ ଜଣାପଡିଛି ଯେ, ସାର୍କ ପୂର୍ବରୁ ଏହି ପ୍ରଜାତିର କଙ୍କଡା ବିଛାମାନେ ଗଭୀର ସମୁଦ୍ରରେ ରାଜ୍ କରୁଥିଲେ । ତେବେ ଏବେ ଯେଉଁ ଜୀବାଶ୍ମର ସନ୍ଧାନ ମିଳିଛି ତାହା ୟୁରୋପିଟିରିଡସ୍ ପ୍ରଜାତିର ବୋଲି କୁହାଯାଉଛି । କାହିଁକି ନା, ଏମାନଙ୍କର ଏକାଧିକ ବିଷାକ୍ତ ଲାଙ୍ଗୁଡ ରହିଥିଲା ।