କନକ ବ୍ୟୁରୋ : ପାଣିରୁ ଉଡାଣ ଭରିବ, ପାଣିରେ ଲ୍ୟାଣ୍ଡ କରିବ । ଆକାଶମାର୍ଗରୁ ଲୌହମାନବଙ୍କୁ ଅତି ପାଖରୁ ଦେଖିପାରିବେ ପର୍ଯ୍ୟଟକ । ଆଉ ଏଭଳି ସୁବିଧା ଯୋଗାଇ ଦେବ ସି-ପ୍ଲେନ ସେବା । କାରଣ ଆଜିଠୁ ଗୁଜୁରାଟରେ ଦେଶର ପ୍ରଥମ ସି-ପ୍ଲେନ ସେବା ଆରମ୍ଭ ହେବ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜନ୍ମତିଥୀରେ ଦେଶବାସୀଙ୍କ ପାଇଁ ଏହି ସି-ପ୍ଲେନ ସେବା ଆରମ୍ଭ କରାଯିବ । ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସି-ପ୍ଲେନ ସେବାର ଉଦଘାଟନ କରିବେ । ଅହମ୍ମଦାବାଦ ସ୍ଥିତ ସାବରମତି ନଦୀରୁ କେବାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ମଧ୍ୟରେ ଏହି ସି-ପ୍ଲେନ ସେବା ଆରମ୍ଭ ହେବ । ଆଉ ଏଥିପାଇଁ ମାଳଦ୍ୱୀପରୁ ଆସିଥିବା ସି-ପ୍ଲେନକୁ ସାବରମତି ନଦୀ କୂଳରେ ପ୍ରସ୍ତୁତ କରି ରଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏଥିରେ ଉଡାଣ ଭରିବା ସହ ଦେଶର ଆରମ୍ଭ ହେବ ପ୍ରଥମ ସି-ପ୍ଲେନ ସେବା ।

Advertisment

ସ୍ପାଇସଜେଟର ସହଯୋଗୀ କମ୍ପାନି ସ୍ପାଇସ ସଟଲ ପର୍ଯ୍ୟଟକଙ୍କୁ ଏହି ସି-ପ୍ଲେନ ସେବା ଯୋଗାଇଦେବ । ପ୍ରତିଦିନ କମ୍ପାନି ପକ୍ଷରୁ ଏହି ରୁଟରେ ୪ଟି ସି-ପ୍ଲେନ ଉଡାଇବାକୁ ନିଷ୍ପତ୍ତି ନିଆଯାଇଛି । ସାବରମତୀ ନଦୀରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦୂରତା ଅତିକ୍ରମ କରିବାକୁ ସ୍ଥଳପଥରେ ପ୍ରାୟ ୫ ଘଣ୍ଟା ସମୟ ଲାଗୁଥିବା ବେଳେ ସି-ପ୍ଲେନ ସାହାଯ୍ୟରେ ମାତ୍ର ୪୫ ମିନିଟରେ ପହଞ୍ଚିପାରିବେ ପର୍ଯ୍ୟଟକ । ମାଳଦ୍ୱୀପରୁ ଆସିଥିବା ଏହି ସି-ପ୍ଲେନଟି ୧୯ ସିଟ୍ ବିଶିଷ୍ଟ ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ସି-ପ୍ଲେନର ଓଜନର ୩୩୭୭ କିଲୋ ରହିଥିବା ବେଳେ ଏଥିରେ ୧୪୧୯ ଲିଟର ପର୍ଯ୍ୟନ୍ତ ଇନ୍ଧନ ଭରା ଯାଇ ପାରିବ । ତେବେ ପ୍ରତି ଘଣ୍ଟାର ଉଡାଣ ପାଇଁ ୨୭୨ ଲିଟର ଇନ୍ଧନର ଆବଶ୍ୟକତା ପଡିଥାଏ ।

ଉଡାନ ଯୋଜନା ଅନୁଯାୟୀ, ସି-ପ୍ଲେନରେ ପ୍ରତିଥର ଯାତ୍ରା ପାଇଁ ବ୍ୟକ୍ତି ପିଛା ଟିକେଟର ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ । ସି-ପ୍ଲେନରେ ଯାତ୍ରା କରିବା ପାଇଁ ପର୍ଯ୍ୟଟକଙ୍କୁ ପୂର୍ବରୁ ଟିକେଟ ବୁକ୍ କରିବାକୁ ପଡିବ । ସ୍ପାଇସ ସଟଲର ଅଧିକାରୀକ ୱେବସାଇଟ www.spiceshuttle.comକୁ ଯାଇ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ଏହି ସି-ପ୍ଲେନ ସେବାର ଉଦଘାଟନ ପୂର୍ବରୁ ଗୁଜୁରାଟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପୂରା ସହରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସହରର ଅଧିକାଂଶ ସ୍ଥାନକୁ ନୋ ଡ୍ରୋନ ଫ୍ଲାଇ ଜୋନ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଥିବା ସି-ପ୍ଲେନ ସେବା କଣ? ତାହା ପର୍ଯ୍ୟଟକ ମାନେ ଜାଣିବାର ନିହାତି ଆବଶ୍ୟକତା ରହିଛି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହି ସି-ପ୍ଲେନ ସେବା ଆରମ୍ଭ କରାଯାଇଛି । ପାଣିରୁ ଉଡାଣ ଓ ଲ୍ୟାଣ୍ଡିଂ କରିପାରୁଥିବାରୁ ସି-ପ୍ଲେନ ପାଇଁ ଲମ୍ବା ରନୱେର ଆବଶ୍ୟକତା ପଡିନଥାଏ । ସମୁଦ୍ର, ନଦୀ ତଥା ବଡ ବଡ ନାଳରେ ଲ୍ୟାଣ୍ଡ କରିପାରୁଥିବାରୁ, ଯେଉଁଠାରେ ବିମାନବନ୍ଦର ସୁବିଧା ନାହିଁ ସେଠାରେ ସି-ପ୍ଲେନକୁ ବିକଳ୍ପ ସେବା ଭାବେ ଗ୍ରହଣ କରାଯାଇପାରିବ । ଯାହାଦ୍ୱାରା ଦେଶର ପ୍ରତି କୋଣ ଅନୁକୋଣକୁ ବିମାନ ସେବା ସମ୍ଭବପର ହୋଇପାରିବ । ସି-ପ୍ଲେନର ସବୁଠୁ ଅଧିକ ବ୍ୟବହାର କାନାଡାରେ ହେଉଥିବା ବେଳେ ଅଷ୍ଟ୍ରେଲିଆ, ଆମେରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ୟୁଏଇ, ଇଟାଲୀ, ମାଳଦ୍ୱୀପ, ହଂକଂ, ଫିଲିପାଇନ୍ସରେ ପୂର୍ବରୁୁ ସି-ପ୍ଲେନ ସେବା ଆରମ୍ଭ ହୋଇଛି । ପର୍ଯ୍ୟଟନ କ୍ଷେତ୍ରରେ ସି-ପ୍ଲେନ ନୂଆ ସମ୍ଭାବନା ସୃଷ୍ଟି କରିଥିବା ବେଳେ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ସି-ପ୍ଲେନରେ ସାବରମତି ନଦୀରୁ ଧାରୋଇ ଡ୍ୟାମ ଯାଏଁ ବୁଲିଥିଲେ ପ୍ରଧାନମନ୍ତ୍ରୀ ମୋଦି ।