କନକ ବ୍ୟୁରୋ: ମହିଳା ଦିବସ ଅବସରରେ ସମ୍ବାଦ ପକ୍ଷରୁ " ସି ହିରୋଜ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଏ ବର୍ଷର ଶିକ୍ଷକ ଓ ରକ୍ଷକଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ମୁଖ୍ୟ ଅତିଥି ଭାବେ ମେୟର ସୁଲୋଚନା ଦାସ ସାମିଲ ହୋଇଥିଲେ ।

ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସି ହିରୋସ କାର୍ଯ୍ୟକ୍ରମ ଉଦଘାଟନ ହୋଇଛି । ମୁଖ୍ୟବକ୍ତା ଭାବେ ସାମିଲ ହୋଇ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମ୍ବାଦ ବଡ଼ ଭୂମିକା ଗ୍ରହଣ କରିଛି । ଯେଉଁ ଅନୁଷ୍ଠାନର ମୁଖ୍ୟ ମହିଳା, ତାହା ହିଁ ମହିଳା ସଶକ୍ତିକରଣର ପ୍ରମାଣ ମିଳୁଛି । ମୁଖ୍ୟ ଅତିଥି ମେୟର ସୁଲଚନା ଦାସ କହିଛନ୍ତି ଏବେ ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତରେ ଗୋଟେ ଉଦାହରଣ ସୃଷ୍ଟି କରିଛି । ତୃଣମୂଳ ସ୍ତରରେ ମହିଳାଙ୍କ ବିକାଶ ଓ ସମ୍ମାନ ପାଇଁ ଓଡ଼ିଶା ସରକାର ଚେଷ୍ଟା କରିଛନ୍ତି ।

ସେହିଭଳି କରୋନା ମହାମାରୀ ସମୟରେ ମହିଳା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଆରମ୍ଭ ହୋଇଥିଲା ସି ହିରୋସ୍ । ଆଉ ଏବେ ଶିକ୍ଷା ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଥିବା ମହିଳାମାନକୁ ସମ୍ମାନିତ କରାଯାଇଛି ବୋଲି କହିଛନ୍ତି ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ।