ରୋଜଗାର ଦେଉଛି ସମୁଦ୍ର ଘାସ: ବିନା ତାଲିମରେ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି ଭୋଗରାଇ ସାହାବାଜିପୁର ପଂଚାୟତର ମହିଳା

112

କନକ ବ୍ୟୁରୋ: ରୋଜଗାର ଦେଉଛି ସମୁଦ୍ର ଘାସ । ବିନା ତାଲିମରେ ସ୍ୱାବଲମ୍ବୀ ହୋଇଛନ୍ତି ୩ଶହରୁ ଅଧିକ ମହିଳା । ଭୋଗରାଇ ବ୍ଲକ ସାହାବାଜିପୁର ପଂଚାୟତର ମହିଳା ମାନେ ସମୁଦ୍ର ଘାସରୁ ତିଆରି କରୁଛନ୍ତି ଆକର୍ଷଣୀୟ ଗୃହ ଉପକରଣ । ସ୍ଥାନୀୟ ବଜାର ସହ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରି କିଛି ରୋଜଗାର କରିବା ସହ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଘର କାମ ପରେ ଟିକିଏ ଫୁରସତ ମିଳିଲେ ମହିଳା ମାନେ ଏହି କାମ କରିବା ପାଇଁ ଏକାଠି ହୁଅନ୍ତି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଘାସ କିଣି ସେଥିରେ ଖଡ଼ିକା, ଖଜୁରୀ ପତ୍ର ଓ ଜୁଣ ବ୍ୟବହାର କରି ଏହି ସବୁ ସାମଗ୍ରୀ ତିଆରି କରୁଛନ୍ତି ।

ଫୁଲ ଚାଙ୍ଗୁଡ଼ି, ପାଛିଆ, ଟୋକେଇ, ଡଲା, କୁଂଚା, ସାଜି, ପଦ୍ମଫୁଲ ଓ ୱାଲ ହ୍ୟାଙ୍ଗିଙ୍ଗ ଭଳି ଘରେ ବ୍ୟବହୃତ ସାମଗ୍ରୀ ତିଆରି କରୁଛନ୍ତି ମହିଳା । ଅନେକ ଦିନ ହେଲା ମହିଳା ମାନେ ଏହି ସାମଗ୍ରୀ ତିଆରି କରି ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି । ପୁରୁଷଙ୍କ ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ ତୁଲାଉଛନ୍ତି । ହେଲେ ବିକ୍ରି କରିବା ପାଇଁ ପ୍ରଚାର ପ୍ରସାର ହେଉନଥିବାରୁ କମ୍ ମୁଲ୍ୟରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ବିକ୍ରି କରି ଏମାନେ କ୍ଷତି ସହୁଛନ୍ତି । ଉପଯୁକ୍ତ ତାଲିମ ଓ ଆର୍ଥିକ ସହାୟତା ମିଳିଲେ ଏମାନେ ଆହୁରି ଉପକୃତ ହୋଇପାରନ୍ତେ ।

ସରକାରଙ୍କ ପକ୍ଷରୁ ମିଶନଶକ୍ତି ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବିଭିନ୍ନ ତାଲିମ ଦିଆଯାଉଛି । ହେଲେ ଏହି ମହିଳା ମାନେ ବିନା କିଛି ପ୍ରଶିକ୍ଷଣରେ ଏଭଳି ସୁନ୍ଦର ସାମଗ୍ରୀ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି ।