କନକ ବ୍ୟୁରୋ : ଦିନକୁ ଦିନ ପରିବେଶ ଉପଯୋଗୀ ଜିନିଷର ଚାହିଦା ବଢ଼ୁଛି । ମେସିନ୍ ତିଆରି ଜିନିଷ ଅପେକ୍ଷା ହାତ ତିଆରି ଜିନିଷ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ବାଲେଶ୍ୱର ଭୋଗରାଇ ବ୍ଳକ କୃଷ୍ଣନଗର ଗାଁର ମହିଳା ମାନେ ସମୁଦ୍ର କୂଳିଆ ଘାସରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରସଜା ସାମଗ୍ରୀ । ଫୁଲ ଚାଙ୍ଗୁଡ଼ି, ପାଛିଆ, ଟୋକେଇ, ବାସ୍କେଟ୍, ପଦ୍ମଫୁଲ ଭଳି ଘରସଜା ସାମଗ୍ରୀ ନିଜ ହାତରେ ତିଆରି କରୁଛନ୍ତି ମହିଳା । ସରକାରଙ୍କ ପକ୍ଷରୁ ଗ୍ରାମାଂଚଳରେ ମହିଳା ମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଏହି ଗାଁର ମହିଳା ମାନେ ବିନା ପ୍ରଶିକ୍ଷଣ ଓ ବିନା ପ୍ରୋତ୍ସାହନରେ ଏଭଳି ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।
ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଏମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ପ୍ରଥମେ ଗାଁ ପାଖ ସମୁଦ୍ର କୂଳରୁ ସମୁଦ୍ର ଘାସ ସଂଗ୍ରହ କରନ୍ତି । ଏହା ପରେ ତାକୁ ଶୁଖାଇ ସେଥିରୁ ଏଭଳି ସାମଗ୍ରୀ ପ୍ରସ୍ତୁତ କରନ୍ତି । ଦୀର୍ଘ ବର୍ଷ ହେଲା ମହିଳା ମାନେ ଏହି କାମ କରିଆସୁଛନ୍ତି । ଗାଁର ପାଖାପାଖି ୨୦୦ରୁ ଅଧିକ ମହିଳା ଏହି କାମ କରନ୍ତି । ତେବେ ପରିଶ୍ରମ ଅନୁସାରେ ସେମାନଙ୍କୁ ଖୁବ୍ କମ୍ ରୋଜଗାର ମିଳିଥାଏ । ହେଲେ ଘରେ ବସିବା ଅପେକ୍ଷା କିଛି ରୋଜଗାର ଆଶାରେ ମହିଳା ମାନେ ଏହି କାମକୁ ଆପଣାଇଛନ୍ତି । ଖୁବ୍ କମ୍ ମୂଲ୍ୟରେ ସ୍ଥାନୀୟ ବ୍ୟବସାୟୀଙ୍କ ସହାୟତାରେ ପଶ୍ଚିମବଙ୍ଗ ବଜାରରେ ଏହାକୁ ବିକ୍ରି କରିବାକୁ ପଡ଼ୁଛି । ବେଳେବେଳେ ଆଖପାଖ ଅଂଚଳରେ ଅନୁଷ୍ଠିତ ହେଉଥିବା ମେଳା ମହୋତ୍ସବରେ ଏହାକୁ ବିକ୍ରି କରନ୍ତି ମହିଳା ।
ମହିଳାମାନଙ୍କ ହାତ ତିଆରି ଏହି ସବୁ ସମାଗ୍ରୀ ବେଶ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ଏହା ଗ୍ରାହକଙ୍କ ମନ ଜିଣୁଛି । ସରକାରୀ ସ୍ତରରେ ସେମାନଙ୍କୁ ତାଲିମ, ଆର୍ଥିକ ପ୍ରୋତ୍ସାହନ ଓ ବଜାର ସୁବିଧା ମିଳିଲେ ଆହୁରି ଭଲ ରୋଜଗାର ହୋଇପାରନ୍ତା ବୋଲି ସେମାନେ କହିଛନ୍ତି ।