ଜୀବିକା ଯୋଗାଇଛି ସମୁଦ୍ରକୂଳିଆ ଘାସ । ଦୁଇ ଶହରୁ ଅଧିକ ମହିଳା ହେଲେ ସ୍ୱାବଲମ୍ବୀ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

107

କନକ ବ୍ୟୁରୋ : କୌଣସି ସହାୟତା କିମ୍ବା ତାଲିମ ନନେଇ ଏହି ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ । ଭୋଗରାଇ ରଣସିଂହପୁର ଗାଁର ମହିଳା ମାନେ ସମୁଦ୍ର ଘାସରୁ ଆକର୍ଷଣୀୟ ଗୃହ ଉପକରଣ ତିଆରି କରୁଛନ୍ତି । ଘର କାମରୁ ଟିକିଏ ଫୁରସତ ପାଇଲେ ଏମାନେ ସମୁଦ୍ର କୂଳିଆ ଅଂଚଳରୁ ଘାସ ସଂଗ୍ରହରେ ଲାଗିପଡ଼ନ୍ତି । ଘାସ ସଂଗ୍ରହ କରିବା ପରେ ତାକୁ ଶୁଖାଇ ରଖନ୍ତି । ଏହା ପରେ ସେଥିରେ ନଡ଼ିଆ ଖଡ଼ିକା, ଖଜୁରୀ ପତ୍ର ଓ ଜୁଣ ବ୍ୟବହାର କରି ବିଭିନ୍ନ ପ୍ରକାରର ଗୃହ ଉପକରଣ ସାମଗ୍ରୀ ତିଆରି କରୁଛନ୍ତି । ଫୁଲ ଚାଙ୍ଗୁଡ଼ି, ଟୋକେଇ, ଡାଲା, ପଦ୍ମଫୁଲ ସହ ଘର କାନ୍ଥରେ ଟାଙ୍ଗିବା ପାଇଁ ବିଭିନ୍ନ ଉପକରଣ ତିଆରି କରନ୍ତି ।

ଦୀର୍ଘ ବର୍ଷ ହେଲା ଏହି ଗାଁର ମହିଳା ମାନେ ଏହି ସବୁ ସାମଗ୍ରୀ ତିଆରି କରିଆସୁଛନ୍ତି । କମ୍ ଦାମରେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ନିକଟସ୍ଥ ପଶ୍ଚିମବଙ୍ଗ ବଜାରରେ ବିକ୍ରି କରିବା ସହ ଆଖପାଖ ଅଂଚଳରେ ହେଉଥିବା ଛୋଟ ଛୋଟ ମେଳାକୁ ଯାଇ ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି । ମହିଳାଙ୍କ ଦ୍ୱାରା ନିର୍ମିତ ଏହି ସାମଗ୍ରୀ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହକଙ୍କ ମନ ଜିଣୁଛି । ଏହି କାମ କରି ମହିଳା ମାନେ ମଧ୍ୟ କିଛି ରୋଜଗାର କରିପାରୁଛନ୍ତି । ନିଜ ଖର୍ଚ୍ଚ ପାଇଁ ଅନ୍ୟମାନଙ୍କ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ୁନାହିଁ । ବଜାର ସୁବିଧା ମିଳିଲେ ଏମାନେ ଆହୁରି ଉପକୃତ ହୋଇପାରନ୍ତେ ସେମାନେ ଦାବି କରିଛନ୍ତି ।

ବର୍ତମାନ ସମୟରେ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ଅନେକ ସୁବିଧା ମିଳୁଛି । ଏହି ମହିଳା ମାନଙ୍କ ପାଇଁ ସେଭଳି କିଛି ବ୍ୟବସ୍ଥା ହେଲେ ଏମାନେ ଅଗକୁ ବଢ଼ିପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି ।