କର୍ଣ୍ଣାଟକରେ ୬୬ ଜଣ ଛାତ୍ରଛାତ୍ରୀଙ୍କୁ କରୋନା, ସମସ୍ତେ ନେଇଥିଲେ ଟୀକା । ୨ଟି ହଷ୍ଟେଲ ହେଲା ସିଲ୍ ।

131

କନକ ବ୍ୟୁରୋ : କରୋନା ସଂକ୍ରମଣ ଲଗାତାର କମିବା କାରଣରୁ ଦେଶବାସୀ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ଏବେ ପୁଣିଥରେ ବିଭିନ୍ନ ରାଜ୍ୟରୁ କରୋନା ସଂକ୍ରମଣ ବୃଦ୍ଧିର ଖବର ଚିନ୍ତା ବଢାଇଲାଣି ।  କର୍ଣ୍ଣାଟକ ଏସଡିଏମ ମେଡିକାଲ କଲେଜରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଏକାଥରକେ କଲେଜର ୬୬ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏକାସଙ୍ଗେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି । ଆଉ ଏହି ଖବର ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କଲେଜର ଦୁଇଟି ହଷ୍ଟେଲକୁ ସିଲ୍ କରି ଦିଆଯାଇଛି । ଏହି କଲେଜରେ ପାଖାପାଖି ୪୦୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସଂକ୍ରମିତ ହୋଇଥିବା ଅଧିକାଂଶ ଛାତ୍ରଛାତ୍ରୀ ପ୍ରଥମ ବର୍ଷର ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ଏହି କଲେଜର କିଛି ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ଯେହେତୁ ସଂକ୍ରମିତ ଛାତ୍ରଛାତ୍ରୀ କଲେଜର ଅନ୍ୟ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ ତେଣୁ କଲେଜର ଅଧିକାଂଶ ଛାତ୍ରଛାତ୍ରୀଙ୍କର କରୋନା ଟେଷ୍ଟ ହୋଇଥିଲା । ପାଖାପାଖି ୩୦୦ ଛାତ୍ରଛାତ୍ରୀଙ୍କର କରୋନା ଟେଷ୍ଟ ହୋଇଥିବା ବେଳେ ଏଥିମଧ୍ୟରୁ ୬୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏବେ ମଧ୍ୟ ଆହୁରି ୧୦୦ ଜଣ ଛାତ୍ରଛାତ୍ରୀଙ୍କର କରୋନା ଟେଷ୍ଟ ହେବା ବାକି ରହିଛି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

ଗତ କିଛି ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । କରୋନା କଟକଣାକୁ ହଟାଇ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏହି ମାମଲା ବଢି ଚାଲିଥିବା ଦେଖିବାକୁ ମିଳୁଛି । ପ୍ରଥମେ ରାଜସ୍ଥାନ ଉଦୟପୁରର ୧୧ ଜଣ ସ୍କୁଲ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ତେଲେଙ୍ଗାନାର ଏକ ସ୍କୁଲରେ ମଧ୍ୟ ୨୮ ଜଣ ଜଣ ଛାତ୍ରଛାତ୍ରୀ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ସେହିଭଳି ଗତ ମଙ୍ଗଳବାର ସୁନ୍ଦରଗଡର ସ୍କୁଲ ଛାତ୍ରୀ ଏବଂ ବୁର୍ଲାର ଡାକ୍ତର ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି ।

ସୁନ୍ଦରଗଡ଼ର ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମିତ ହୋଇଥିବା ସମସ୍ତ ଛାତ୍ରୀ ସ୍କୁଲ ହଷ୍ଟେଲରେ ରହୁଥିଲେ । ଏକା ଥରକେ ଏତେ ଛାତ୍ରୀ ପଜିଟିଭ୍ ଚିହ୍ନଟ ହେବାରୁ ସ୍କୁଲକୁ ସାତ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ସେପଟେ ବୁର୍ଲା ଭୀମସାରର ୨୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ଛାତ୍ରଛାତ୍ରୀ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ତେବେ ସଂକ୍ରମିତଙ୍କ ମଧ୍ୟରୁ କେହି ସେମିତି ଗୁରୁତର ନାହାନ୍ତି । ତେଣୁ ଏହାକୁ ନେଇ ଭୟ ନକରି ସମସ୍ତେ କୋଭିଡ ନିୟମ ମାନିବା ଦରକାର ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କରୋନା କଟକଣା ନମାନିଲେ, ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ କରୋନାକୁ ନଡରି ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।