କନକ ବ୍ୟୁରୋ :  କୁହାଯାଏ ବହୁଥିବା ଗଙ୍ଗାରେ ହାତ ଧୋଇବାର ମଜା ଓ ଫାଇଦା କିଛି ଅଲଗା ଥାଏ । ଏହି ଢ଼ଗ ଠିକ ବସୁଛି ସେମାନଙ୍କ ଉପରେ ଯେଉଁମାନେ ସନାତନ ଆସ୍ଥା ଉପରେ ପ୍ରଶ୍ନ ଉଠାନ୍ତି ଓ ମହାକୁମ୍ଭରେ ଭାଗ ନେବାକୁ ଇଚ୍ଛା ମଧ୍ୟ ରଖନ୍ତି । ଦୀର୍ଘ ୧୨ବର୍ଷର ବ୍ୟବଧାନରେ ଚଳିତବର୍ଷ ଆୟୋଜିତ ମହାକୁମ୍ଭରେ ଭାଗ ନେବାକୁ ବିଜେପି ନେତାମାନେ ଆଗ୍ରହୀ ହେବା ସ୍ବାଭାବିକ କଥା । ମାତ୍ର ବିରୋଧୀ ରାଜନୈତିକ ଦଳ ପ୍ରମୁଖ ନେତା ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ତଥା ସାଂସଦ ଡିମ୍ପଲ  ସଙ୍ଗମରେ ସ୍ନାନ କରିଛନ୍ତି । ଏପରିକି  ବିରୋଧୀ କଂଗ୍ରେସ ଦଳର ପ୍ରମୁଖ ନେତା ସଚିନ ପାଇଲଟ, ଦିଗବିଜୟ ସିଂ ସମେତ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଭାଗ ନେଇଛନ୍ତି । ଏହି ନେତାମାନେ ସନାତନ ଧର୍ମର ଆସ୍ଥା ଓ ଏହାର ରାଜନୈତିକ ପ୍ରଭାବ ବେଶ ଭଲ ଭାବେ ଜାଣନ୍ତି

Advertisment

ଏବେ ସମସ୍ତଙ୍କ ନଜର  ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ । ୨୦୨୨ ଉତରପ୍ରଦେଶ ନିର୍ବାଚନ ପୂର୍ବରୁ ତତକାଳୀନ ଦଳୀୟ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ କୁମ୍ଭମେଳା ସମୟରେ ସଙ୍ଗମରେ ନିଜ ଝିଅ ସହ ବୁଡ ପକାଇଥିଲେ । ତାଛଡା ତତକାଳୀନ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ୨୦୦୧ କୁମ୍ଭମେଳରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ମାତ୍ର ବର୍ତ୍ତମାନର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ବାରା ସଙ୍ଗମରେ ବୁଡ଼ ପକାଇଲେ ଦେଶର ଦାରିଦ୍ର୍ୟତା ଦୂର ହେବନି ବୋଲି ବୟାନ ଦଳକୁ ଦ୍ବନ୍ଦରେ ପକାଇଛି

ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ କଂଗ୍ରେର ବର୍ଜନ ଦଳକୁ ରାଜନୈତିକ ଫାଇଦା ଦେଲା ନାହିଁ ବୋଲି ଉଭୟ ଗାନ୍ଧୀ ପରିବାର ଓ ନେତୃବୃନ୍ଦ ଭଲଭାବେ ଜାଣନ୍ତି । ସନାତନ ଧର୍ମର ଆସ୍ଥା ଓ ବିଶ୍ବାସ ପ୍ରତି ଆଘାତ ଦଳକୁ କୌଣସି ଦୃଷ୍ଟିରୁ ରାଜନୈତିକ ଫାଇଦା ଦେବନାହିଁ । ଏପରିସ୍ଥଳେ ମହାକୁମ୍ଭ ସରିବା ପୂର୍ବରୁ ସଙ୍ଗମରେ ବୁଡ ପକାଇ ଅଯୋଧ୍ୟା ଭୁଳକୁ ସୁଧାରିବାକୁ ଗାନ୍ଧୀ ଭାଇ ଉଉଣୀ ଯୋଡି ଉଦ୍ୟମ କରିବେ କି?