କୋଣାର୍କରେ ସାଧାରଣ ପଥର…ଅଭିଯୋଗକୁ ASIର ଖଣ୍ଡନ । ଏହା ସଂପୂର୍ଣ୍ଣ ମିଛ ଏବଂ ମନ୍ଦିରର ଭାଇରାଲ ଫଟୋକୁ ବିଭ୍ରାନ୍ତିକର ବୋଲି କହିଲା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା

235

କନକ ବ୍ୟୁରୋ: ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରରେ ମରାମତି ନାଁରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା । ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୋଣାର୍କ ମନ୍ଦିର ଫଟୋକୁ ବିଭ୍ରାନ୍ତିକର ବୋଲି କହିଛି ଏଏସଆଇ ।

ଏନେଇ ଟୁଇଟ କରି ଏଏସଆଇ କହିଛି, କୋଣାର୍କ ମନ୍ଦିରର ପୁରୁଣା କୀର୍ତିରାଜି ଭାଙ୍ଗି ସାଦା ପଥର ଲଗାଯିବା ଖବର ସମ୍ପୁର୍ଣ୍ଣ ମିଛ । ସୋସିଆଲ ମିଡିଆରେ ବୁଲୁଥିବା ଦୁଇଟି ତୁଳନାତ୍ମକ ଫଟୋ ଜାଣିଶୁଣି ଲୋକଙ୍କୁ ଭ୍ରାନ୍ତି କରିବା ଭାଇରାଲ କରାଯାଇଛି । ୨ଟି ଯାକ ଚିତ୍ର ମନ୍ଦିରର ୨ଟି ଭିନ୍ନ ଭିନ୍ନ ସ୍ଥାନର ବୋଲି ଦର୍ଶାଇଛି ଏଏସଆଇ । ଏହା ମଧ୍ୟରୁ ଗୋଟିଏ ଫଟୋ ନାଟମଣ୍ଡପ କିର୍ତିରାଜିର ହୋଇଥିବା ବେଳେ ଅନ୍ୟଟି ମୁଖ୍ୟ ମନ୍ଦିର ଜଗମୋହନର ଫଟୋ, ଯାହା ସାଧାରଣ ପଥରରେ ନିର୍ମିତ ଭିତିପ୍ରସ୍ତର ବୋଲି ଏଏସଆଇ କହିଛି ।

ଚିତ୍ରରେ ଦର୍ଶାଇଥିବା ସାଦା ପଥର କାମ ୧୯୮୦ ଦଶକର ମଧ୍ୟଭାଗରେ କରାଯାଇଛି । ଯେଉଁ ସ୍ଥାନରେ କିର୍ତିରାଜି ସମ୍ପୁର୍ଣ୍ଣ ନଷ୍ଟ ହୋଇଛି କିମ୍ବା ପୂର୍ବରୁ କଣ ରହିଥିଲା ତାହାର ପ୍ରମାଣ ନାହିଁ । ସେଠାରେ ଏଏସଆଇ ପଲିସି ଅନୁସାରେ ସାଦା ପଥର ଲଗାଯାଇଛି । ମନ୍ଦିରର ଭଲ ଅବସ୍ଥାରେ ଥିବା କୌଣସି କିର୍ତିରାଜି ବଦଳାଯାଇ ନାହିଁ ବୋଲି ସ୍ପଷ୍ଟ କରିଛି ଏଏସଆଇ ।