କନକ ବ୍ୟୁରୋ : ବିଧାନସଭାରେ ହାତାହାତି । ପଶ୍ଚିମବଙ୍ଗ ବିଧାନସଭାରେ ହାତାହାତି ହୋଇଛନ୍ତି ବିଜେପି ଓ ଟିଏମସି ବିଧାୟକ । ସ୍ଥିତି ଏମିତି ହୋଇଛି ଯେ, ଟିଏମସି ବିଧାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ଆଉ ଏହି ଘଟଣାରେ ବିଜେପିର ୫ ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ଡ କରାଯାଇଛି । ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ, ମନୋଜ ତିଗା, ନରହରି ମହତୋ, ଦୀପକ ବର୍ମନ, ଶଙ୍କର ଘୋଷ ସସପେଣ୍ଡ ହୋଇଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ୫ ବିଜେପି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି ।

Advertisment

ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନର ଆଜି ଶେଷ ଦିନ । ତେବେ ଏହାପୂର୍ବରୁ ଏଭଳି ଏକ ଅପ୍ରୀତିକର ସ୍ଥିତିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି । ମାରପିଟ ପରେ ବିଜେପି ବିଧାୟକ ବିଧାନସଭା ବାହାରେ ପ୍ରଦର୍ଶନ କରିଛନ୍ତି । ବିଜେପି ବିଧାୟକଙ୍କ କହିବା ଅନୁଯାୟୀ, ବୀରଭୂମରେ ହୋଇଥିବା ହୃଦୟ ବିଦାରକ ହତ୍ୟାକାଣ୍ଡ ଉପରେ ଗୃହରେ ଆଲୋଚନା ଚାହୁଁଥିଲେ । କିନ୍ତୁ ଏହାକୁ ନେଇ ଟିଏମସି ବିଧାୟକ ହଙ୍ଗମା କରିବା ସହ ମାରପିଟ ଆରମ୍ଭ କରିଥିଲେ । ବିଜେପି ବିଧାୟକ ମନୋଜ ତିଗା କହିଛନ୍ତି, ଗୃହ ଭିତରେ ତାଙ୍କୁ ଟିଏମସି ବିଧାୟକ ଧକ୍କା ମାରିବା ସହ ମାଡ ମାରିଥିଲେ । ଏପରିକି ସାର୍ଟକୁ ମଧ୍ୟ ଚିରି ଦେଇଥିଲେ । ଆଉ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହ ବାହାରେ ପ୍ରଦର୍ଶନ କରିବା ସହ ମମତାଙ୍କ ଉପରେ ବର୍ଷିଛନ୍ତି । ଆମ ବିଧାୟକଙ୍କୁ ମାଡ ମାରିବାକୁ ଟିଏମସିର ବିଧାୟକ ମାନେ କୋଲକାତା ପୋଲିସର କିଛି ଅଫିସରଙ୍କୁ ବିନା ଡ୍ରେସକୋର୍ଡରେ ବିଧାନସଭା ଭିତରକୁ ଆଣିଥିଲେ ।

ଅନ୍ୟପଟେ ବାଚସ୍ପତି କହିଛନ୍ତି, ଏହାଦ୍ୱାରା ଗୃହର ଗାରିମା ନଷ୍ଟ ହୋଇଛି । ଏହି ଘଟଣା ଯୋଗୁଁ ଗୃହର ଯେଉଁ କ୍ଷତି ହୋଇଛି ତାହାର ହିସାବନିକାଶ ହେବ । ଏଥିରେ ସଂପୃକ୍ତ ଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ଗଣ୍ଡଗୋଳର ଭିଡ଼ିଓ ଏବେ ବିଜେପି ପକ୍ଷରୁ ସେୟାର କରାଯାଇଛି । ଯେଉଁଥିରେ ଟିଏମସି ଓ ବିଜେପି ବିଧାୟକ ଧସ୍ତାଧସ୍ତି ହେଉଥିବାର ଦେଖିବାକୁ ମିଳିଛି ।